Unknown

 

 

 

 

 

 

 

 

 

 

 

ଶ୍ରୂୟତାମ୍‌

ନୃସିଂହ କୁମାର ରଥ

 

ସୂଚିପତ୍ର

 

୧.

କଥନିକା

 

(ଜୀବନ ନୁହେଁ ଶୂନ୍ୟ ସହି)

୨.

ଏଲିଜି

 

(ଆଜି ଏ ଶୀତର ରାତି ଶୋଇରହେ ଚୁପ୍‌ଚାପ୍‌ ଯେବେ)

୩.

ଖେଳ

 

(ପାହି ସେ ପାଖରେ ତୁମେ ବସି ରହି ଦମ୍‌ ନିଅ କିଛି)

୪.

ସୂତ୍ର

 

(ସେଥରକ କେଉଁଦିନ, କେଉଁଠି ଓ ହଠାତ୍‌ କିପରି)

୫.

ପ୍ରତିମା

 

(ଅନେକ ଅନେକ ଦିନ ମୁଁ କରିଛି ମଣିଷର ପୂଜା)

୬.

ପ୍ରକାଶ

 

(କେତେ ଏ ଆଖିରୁ ଝରାଇ ଅଶ୍ରୁ ମିଛେ)

୭.

ଭ୍ରାନ୍ତି

 

(ଆମର ସାକ୍ଷାତ ପରେ ଏ ସାମାନ୍ୟ ଅସ୍ତିତ୍ୱକୁ ମୋର)

୮.

ବରିନେବି ସବୁ

 

(ତୁମେ ଯେବେ କେବେ କହିବ ଏପରି ସଂଭୋଗ ସୁଖ ଭୁଲି)

୯.

ଗୋଟିଏ ସନେଟ୍‌

 

(ଆମେ ବେଶ୍‍ ବଂଧୁ ପ୍ରିୟ ହୋଟେଲ୍‍ରେ କେତେ ଜଣ ମିଳି )

୧୦.

ଖେଳ ସାଥି

 

(ଅନ୍ଧାରେ ପିଟି ଅବଶ, ଆହତ ଡେଣା)

୧୧.

ଏକ ଦର୍ଶନ

 

(କେହି କେହି ମୁହୂର୍ତ୍ତର ସୁଖ ଦେଇ ଜୀବନ ଦେଖନ୍ତି)

୧୨.

ଏକ ଝଡ଼ ଶେଷେ

 

(ମୁଁ ତୁମକୁ ଖୋଜୁଥିଲି ସତେ ଅବା ଝଡ଼ରେ ବିକ୍ଷିପ୍ତ)

୧୩.

ସଲିଲକି (୧)

 

(ମନେ ହୁଏ ମୋର ଏତେ ଦିନ ଧରି)

 

ସଲିଲକି (୨)

 

(ସପନେ ମଜ୍ଜି ରହି ବି ଏତେ ଦିନ)

୧୪.

ଆମ କଥା

 

(ହେଇ ଶୁଣ ବର୍ଷା ଝରେ ଅବିଶ୍ରାନ୍ତ)

୧୫.

ଏକ ବର୍ଷ ବିଦାୟ ବେଳେ

 

(ଯେ ଜୀବନ କଳି ଚମ୍ପକ ସମ)

୧୬.

ମଧ୍ୟାହ୍ନ ବର୍ଷା

 

(ଯେ ବର୍ଷା ପଡ଼ିଲା ଝରି ସେ ଦିନର ତପ୍ତ ମଧ୍ୟାହ୍ନରେ ।

୧୭.

ଜ୍ୱଳନର ଗାନ

 

(ମୁଁ ଯାର ସ୍ୱପ୍ନରେ ଭାସେ କଳ୍ପନାର ରଙ୍ଗ ବୋଳି ନିତି)

୧୮.

ସକାଳ

 

(ସକାଳେ ସିନ୍ଦୂର ମେଘେ କୁହୁଡ଼ିର ଆବରଣ ତଳୁ)

୧୯.

ଦୁଇଟି ଗୀତି (ଏକ)

 

(ନଉକା ମୋହର ଧୀରେ ଧୀରେ ଯାଏ ବାହିରେ)

 

ଦୁଇଟି ଗୀତି (ଦୁଇ)

 

(ଗୀତ ମୋର ଛୁଇଁ ଛୁଇଁ ଯାଏରେ)

୨୦.

ସେଦିନ

 

(କେବେ ଯଦି ବସି ରହି ଆନମନେ ଅଳକାପୁରୀରେ)

୨୧.

ଗୋଟିଏ ପକ୍ଷୀ

 

(ଅଜଣା ରାଇଜୁ ଆକାଶେ ଆକାଶେ ସଂଚାରି ଧୀରେ ଆହତ ଡେଣା)

୨୨.

ଅପରୂପା

 

(ଦୂରର ଅଭେଦ୍ୟ କେଉଁ ଅନ୍ଧକାର ଅରଣ୍ୟ ଭିତିରେ)

୨୩.

ତାରା

 

(ଆକାଶେ ଆଜି ଜହ୍ନ ନାହିଁ)

୨୪.

ସ୍ମୃତି

 

(ମୋତେତ ଲାଗୁଛି କିଏ ସତେ ଅବା କରିଛି ବିଚ୍ଛିନ୍ନ)

୨୫.

ସ୍ଥିତିର ଏକ ସଜ୍ଞା

 

(ଅନେକ ବର୍ଷର କଥା ଆଜି ଏଠି ରୂପ ନେଇ ଆସେ)

୨୬.

ଆମ ତତ୍ତ୍ୱ

 

(କିଛି ଗୋଟେ ହଜିଗଲେ ତାକୁ ପୁଣି ଫେରି ପାଇବାକୁ)

୨୭.

ଯିଏ ହାରିଗଲା

 

(ଜୀବନ ଯୁଦ୍ଧେ ଯିଏ ହାରିଗଲା)

୨୮

ଅଭିବ୍ୟକ୍ତି

 

(ଯେତେ ଅଶ୍ରୁ ଝରିଗଲା କ୍ଳାନ୍ତ ଆଖିପତା ଧାରେ ଧାରେ)

୨୯

ଗଂଗାଧର ମେହେର

 

(ସତୁ ହାତପାଆନ୍ତାରେ ଭାବି ଯିଏ ରହନ୍ତି ନିଶ୍ଚିତ)

୩୦

ଶ୍ରୂୟତାମ୍‌

 

(ଶୀତାର୍ତ୍ତ ଏ ମୁହୂର୍ତ୍ତରେ ନିସ୍ପନ୍ଦ ଏ କୋଠରୀରେ ବସି)

୩୧.

ଏକ ନବଜାତକ ପାଇଁ

 

(ଆଜି ଏ ଶରତର ଶାନ୍ତ ଲଗନରେ)

୩୨.

ତୁମେ ଯିଏ ବରିଲ ସମାଧି

 

(ଶୀତ ବରଫର ତଳେ ତୁମେ ଯିଏ ବରିଲ, ସମାଧି)

୩୩.

ଏକ ଯୁକ୍ତି ସପକ୍ଷରେ

 

(ହୁଏତ ମୁଁ ଭୁଲିଥିଲି ଘଟଣା ଓ ଘଟଣାର ପୁନରାବୃତ୍ତିକି)

୩୪.

ଗତି

 

(ମୁଁ ଚାଲିଛି)

୩୫.

କାମନା

 

(ମୋତେ ହେଲେ ଦେଇଥାନ୍ତ ସାନ ସାନ ଦୁଇଗୋଟି ଡେଣା)

୩୬.

ଏକ ସାକ୍ଷାତ

 

(ସେଠାକୁ ଯିବାର ଆଗୁଁ ମନେ ଭାବିଥିଲି)

୩୭.

ମୌସୁମୀର ଭିଡ଼େ

 

(ଆଜି ଏଠି ମୌସୁମୀର ଭିଡ଼େ)

୩୮.

ସଂବାତ୍‌

 

(ଏମିତି ବର୍ଷାର ଦିନେ)

୩୯.

ଏକ ଜ୍ୱଳନ

 

(ସେଦିନ ତୁମରି ରୂପ ଜଳିଲା ଆଲୋକର ଭ୍ରାନ୍ତି ଦେଲା)

୪୦.

ବର୍ଷାର ଦୁଇଟି ସ୍ୱର

 

(ବାହାରେ ଉନ୍ମାଦ ବର୍ଷା ଅବିଶ୍ରାନ୍ତ ଝରିଯେବେ ପଡ଼େ)

୪୧.

ଚିଠି

 

(ପକେଟରେ ତୁମ ଚିଠି ପଢ଼ିବାର ପିପାସା ସରେନି)

୪୨.

ସକାଳର ଛନ୍ଦ

 

(ଶୀତ ଦିନର ଫୁଲ ନୀରବରେ ସୂର୍ଯ୍ୟମୁଖୀ ହେଲାପରି)

୪୩.

ବିଦାୟର ଗାନ

 

(ମୃତ୍ୟୁର ନୀଳ ସୁଏ ଭାସିଭାସି)

୪୪.

ଦୁଇଟି ଆଶ୍ଚର୍ଯ୍ୟ ଇଚ୍ଛା

 

(ସବୁ ତୁମ ଗଉରବ, ତୁମେ ତାର କାର୍ଯ୍ୟ ଓ କାରଣ’)

୪୫.

ସେ ଏବଂ ସକାଳ

 

(ଆକଣ୍ଠ ଆହାରପରେ ଅଜଗର ପରି ସେଇ ଅଳସ ଅନ୍ଧାର)

୪୬.

ଏକ ଅନୁନୟ

 

(ସେ ଅସ୍ଥି ଏ ଅବିନ୍ୟସ୍ତ ଅନ୍ଧକାର)

୪୭.

ଏକ ଅନ୍ତର୍ଦୃଷ୍ଟି

 

(ଏତେ ଦିନ ପରେ ଆଜି ସେ ହାତରେ କେତୋଟି ଅକ୍ଷର)

୪୮.

ଶୀତ

 

(ଶୀତର ନରମ ସ୍ପର୍ଶ ଖୋଲା ଝରକାରେ)

୪୯.

ଲୁଲୁପାଇଁ ଏକ ଲଲାବାୟି

 

(ମୋ କୁନି ପଡ଼ରେ ଶୋଇ ମାଡ଼ି ଆସେ ଘନ ଘୋର ରାତି)

Image

 

କଥନିକା

 

ଜୀବନ ନୁହେଁ ଶୂନ୍ୟ ସହି

ଜୀବନ ପାଇଁ ଶୂନ୍ୟ ମୁହିଁ

ନିଜକୁ ଦେଲି ସାରି

ଯେ ପଥେ ଦିନେ ଯାଇଛି ଚାଲି

ଆଜି ସେ ଦେଖେ ମରୁର ବାଲି

ଚିହ୍ନ ଟିକେ ନାହିଁ

ସତେ କି ମୋର ପକ୍ଷ ଥିଲା

ଯାଇଛି ଉଡ଼ି ଉଡ଼ି

ଆକାଶ ନୀଳେ ବୁଡ଼ି ।

ସେଦିନ ସେଇ ଜହ୍ନ, ତାରା

ଧୂସର ଆଜି ମଳିନ ପରା

ଆକାଶ ପଡ଼େ ଭାଜି

ଡାକି ଡାକି ମୋ କଣ୍ଠ ଶୁଖେ

ସଭିଏଁ ଆଜି ସପନ ସୁଖେ

ଜୀବନ ପାଇଁ ଅଳି

ଅଝଟ କେଉଁ ଶିଶୁର ପରି

କରୁଛି କିଏ ପୁଣି

ପାରୁନ ତୁମେ ଶୁଣି ?

ପୁରୁଣା ହୋଇ, ପୁରୁଣା ନୁହେଁ

ନିତ୍ୟ ଆଉ ନୂତନ ସିଏ

ଆମେ ଯେ କୁଟା କାଠି

ଅଜଣା କେଉଁ ସୁଅରେ ମିଶି

ଜାଣିନେ କାହୁଁ ଆସିଛେ ଭାସି

ଅଥଳ ଜଳ ପରେ

ପାଗଳ ଏକ ଭଉଁରୀ ସିନା

କରିଛି ଏକାକାର

ଲକ୍ଷ ଆମ ସୁଦୂର ପାରାବାର ।

Image

 

ଏଲିଜି

 

ଆଜି ଏ ଶୀତର ରାତି ଶୋଇରହେ ଚୁପ୍‌ଚାପ୍ ଯେବେ

ଶୋଇରହେ ଏ ପୃଥିବୀ ଆକାଶରେ ତାର-ଦୀପ ଜାଳି

ଏମିତି ରାତିରେ ଜାଗି ମୁଁ ଖୋଜଇ ହଜିଗଲା ଧନ

ସପନ କୁହେଳି ଘେରା ଚଉଦିଗ ଉଣ୍ଡାଳି ଉଣ୍ଡାଳି ।

 

ଦୃଷ୍ଟିର ଦିଗନ୍ତେ ମୋର ଛଳ ଛଳ ସେଇ ଦୁଇ ଆଖି

ଅଶ୍ରୁରେ ଉଠୁଛି ଭରି, ଭାଷାହୀନ ସେ ମୁହଁ ବିଷନ୍ନ

ତଥାପି ତଥାପି ସିଏ ରୋଗ ଶେଯ ଧାରେ ବସିରହି

ମୋ ଲାଗି ଆଶିଷ ଲୋଡ଼େ ସାରାରାତି ରହି ଉଜାଗର ।

 

କୈଶୋରର ପଥେ ପଥେ ବିକଶାଇ ଆଶାର କୁସୁମ

ଆସିଲା ଏ ଯଉବନ କଣ୍ଠେ ଭରି ଯେବେ ନୂଆ ଗୀତି

ହେଲି ମୁହିଁ ପଥହରା ହେଲି ମୁହିଁ ସକଳ ତିଆଗି

ଉଷର ଏ ମରୁପଥେ ଖୋଜେ ଆଜି ଜୀବନର ସ୍ଥିତି ।

 

ଏଇ ମୋର ଅନ୍ୱେଷଣ କିଏ କହୁ ଅରଣ୍ୟ ରୋଦନ

ଜୀବନର ଅନୁରାଗ ଲୋଡ଼େ ମୁଁ ଯେ ଜୀବନ ! ଜୀବନ !

Image

 

ଖେଳ

 

ପାହି ସେ ପାଖରେ ତୁମେ ବସିରହି ଦମ୍‌ନିଅ କିଛି

ତା’ପରେ ଏ ଖେଳ ଚାଲେ ଆମେ ସତେ ସାନ ସାନ ପିଲା

ହସି ଖେଳି କାଟିଦେବା ବେଳଗୁଡ଼ା ହାରଜିତ୍‌ ନାହିଁ

ଆଡ଼ରୁଷା ଅଭିମାନ ମିଛ ସବୁ ଯେତେକ ଛଳନା ।

ଜନ୍ମଦିନେ ବାର୍ତ୍ତ ! ଦେଇ ପରସ୍ପର ପ୍ରଶସ୍ତି ଗାଇବା

ଦେଖା ହେଲେ ଅଳ୍ପ ହସି ପରେ ପରେ ଆଖି ଛଳଛଳ

ଆମେ ଖାଲି ଚାହିଁଥିବା ଜଳଜଳ ସ୍ଥିର ଓ ନିର୍ବାକ୍‌

ଯେମିତି କି ଭାଷା ନାହିଁ, ହେତୁ ନାହିଁ କିଛିଟି ଆମର !

ଆଖିକୁ ତୁମର କିଏ ଲୁଚାଇଲା ତୁମେ ତ ଜାଣୁନ

ତୁମର ସେ ଧୂଳିଘର ତୋଳିଥିଲ ସରାଗରେ କେତେ

ଚାହୁଁ ଚାହୁଁ ଭାଙ୍ଗିଗଲା ସେ କାହାର ଅଦୃଶ୍ୟ ପାଦରେ

ଟିକିଏ ସହାନୁଭୂତି ନାହିଁ ଆହା ଏଡ଼ିକି ନିର୍ମମ ।

ଚକା ଭଉଁରୀର ଖଳ ମାମୁଁଘର ଚଉଁରୀ ବି ନାହିଁ

ମାଟି ଘୁରେ ଚାରିପାଶେ ଘୂରି ବୁଲେ ମେଘ ଓ ଆକାଶ

ଆଖି ନାହିଁ କାନ ନାହିଁ ବାଜିଗଲେ କାର ଦୋଷ ନାହିଁ

ମିଛ ସବୁ ପଛ କଥା ଏଠି ସବୁ ବଦଳୁଛି ଦୃଶ୍ୟ !

ଏ ଗୋଟାଏ ନୂଆ ଖେଳ, ମିଛକଥା । ମିଛ ସବୁ ମିଛ

ସେମାନେ ବି ଖେଳୁଛନ୍ତି ଆମେ ସିନା ପାରୁନାହୁଁ ଦେଖି

ସେ ପାଖରେ ସିଏ ସବୁ ଆମେ ଏଠି ପାଦ ତାଳେ ତାଳେ

ଢଳି ଢଳି ଘୁରୁଥିବା ଆପଣାକୁ ଆପେ ରଖି ସାକ୍ଷୀ ।

Image

 

ସୂତ୍ର

 

ସେଥରକ କେଉଁଦିନ, କେଉଁଠି ଓ ହଠାତ୍‌ କିପରି

ଆମର ସାକ୍ଷାତ ହେଲା ଜାଣିବାର ଫଳ କିଛି ନାହିଁ

ତୁମେ ତ ନିଶ୍ଚୟ ଥିଲ, ଥିଲେ ମଧ୍ୟ ଆଉ କେତେ ଜଣ

ସବୁରି ମୁହଁରେ ହସ, ତୁମେ କିନ୍ତୁ ନିର୍ବିକାର ଥିଲ

କେତୋଟି ମୁହୂର୍ତ୍ତ ପାଇଁ ଯେମିତିକି ମଥା ପରେ ତୁମ

ଝଡ଼ ଏକ ବୋହିଗଲା ଦୋହଲାଇ ସମଗ୍ର ସତ୍ତାକୁ

ଝଡ଼ରେ ଆହତ ଫୁଲ ବିପର୍ଯ୍ୟସ୍ତ ଗଛର ଶାଖାରେ

ଏକକ ସୌନ୍ଦର୍ଯ୍ୟ ନେଇ ବିସ୍ମୟରେ ଚାହିଁଥିଲା ପରି

ତୁମେ ରହି ଦେଖୁଥିଲ ବାହାରେ ଯେ, କିଛି ଘଟିନାହିଁ

ଝଡ଼ ଖାଲି ବହିଗଲା ତୁମ ଦେହ ଶିରାରେ ଶିରାରେ ।

ସେଦିନ ତୁମର ହସ ଉଚ୍ଛ୍ୱସିତ ପ୍ରାଣର ପ୍ରବାହ

ମୋ ପାଖରେ ଧକ୍‌କା ଖାଇ ଚେତନାକୁ ଥରାଇଲା ବେଳେ

ବିସ୍ମିତ ଅବାକ୍‌ ମୁହିଁ ଦେଖୁଥିଲି ସେ ଖାଲି ତୁମର

ହସର ପ୍ରବାହ ନୁହେଁ ତା’ ଭିତରେ ମୋ ଦେହ ମନର

ଚମତ୍କାର ପ୍ରତିବିମ୍ୱ ଯେତେ ଯେତେ ଆଶା ଓ ନିରାଶା

ଢେଉ ଭାଙ୍ଗି ଖେଳୁଥିଲେ ମାଛ ପରି ପିଟି ପିଟି ଡେଣା

ଟିକିଏ ବିକାର ନାହିଁ ଦ୍ୱିଧା ନାହିଁ ସଂଶୟ ବି ନାହିଁ

ଯେମିତିକି ମନ୍ତ୍ରମୁଗ୍‌ଧ ନିୟନ୍ତ୍ରିତ ସବୁ ସେ ଛନ୍ଦରେ !

ତା’ପରେ ଖୋଜିଛେ କେତେ ପରସ୍ପରେ ନିଜକୁ ହଜାଇ

ପାଇବାର ଇଚ୍ଛା ନେଇ ଦୁନିର୍ବାର ବ୍ୟକ୍ତି-ସ୍ୱତନ୍ତ୍ରତା

ଅସ୍ୱୀକାର କରିଅଛେ ବହୁଥର ଅମାପ ପ୍ରତ୍ୟୟେ

ଅଜସ୍ର ଉଦ୍‌ବେଗ ନେଇ ସ୍ୱପ୍ନ ଖୁନ୍ଦି ଆଖିରେ ଆଖିରେ

ଖୁବ୍‌ ବି ଆଶ୍ଚର୍ଯ୍ୟ ହୋଇ (ଯେତେବେଳେ ବ୍ୟସ୍ତତା ଭିତିରେ)

ଅନ୍ଧାର ନଥିଲେ ମଧ୍ୟ ଭାରୀ ଭୟ ଲାଗୁଥିଲା ସତେ

ନିର୍ଜନ ଦ୍ୱୀପରେ ଏକ ଯେମିତିକି ତୁମେ ଯେ ଏକାକୀ

ମୁଁ ଯେମିତି ରହିଥିଲି ଅନ୍ୟ ଏକ ଦ୍ୱୀପାନ୍ତରେ ଏକା–

 

ଯାହାସବୁ ଘଟିଗଲା ଜାଣିବାରେ ଲାଭ କିଛି ନାହିଁ

ତୁମେତ ହଜିନ ଆଜି ସ୍ଥିତି ତୁମ ସେ ଏକ ବିନ୍ଦୁରେ

ପରିବ୍ୟାପ୍ତ ରହିଅଛି ତାକୁ ଘେରି ଆଲୋକର ବୃତ୍ତ ।

ଚାରିପାଖେ ରହିଛନ୍ତି ଦେହରକ୍ଷୀ ଅନେକ ଅନେକ

ମୋ ପକ୍ଷେ ଦୁରୂହ ତେଣୁ, ଅସମ୍ଭବ ଅପନ୍ତରା ଡେଇଁ

ଆଲୋକର ଅନ୍ୱେଷଣ ସତ୍ୟ ହେଉ ଅପନ୍ତରା ଅନ୍ଧାର ସତ୍ତ୍ୱେ ବି

ମୁଁ ଯେମିତ ଜୀଇଁ ରହେ ଗଦା ଗଦା ସ୍ମୃତିର ଭିତରେ ।

Image

 

ପ୍ରତିମା

 

ଅନେକ ଅନେକ ଦିନ ମୁଁ କରିଛି ମଣିଷର ପୂଜା

ପ୍ରୀତିର ସଂଗୀତ ଗାଇ ଭଗ୍ନ ମୋର ଆହତ କଣ୍ଠରେ

କେତେ ମୁଁ ହସିଛି ସତେ ଚାପିନେଇ ଉଦ୍‌ଗତ ଲୋତକ

ଅଜସ୍ର ଆଗ୍ରହ ନେଇ ଏ ସୃଷ୍ଟିର ରହସ୍ୟ ଦେଖିଛି ।

କେତେ ଯେ ଉତ୍ତୀର୍ଣ୍ଣ ସନ୍ଧ୍ୟା ସକାଳର ଆଶକ୍ତି ଭିତରେ

ଆଖିରେ ପ୍ରତୀକ୍ଷା ଭରି ଖୋଜୁଥିଲି ମଣିଷର ମନ

ନିଜକୁ ବିକ୍ଷିପ୍ତ କରି ସୁବିସ୍ତୃତ ପ୍ରକାଶ ମାଧ୍ୟମେ

କରିବାକୁ ନୂଆ ସୃଷ୍ଟି ଯେତେ ଘୃଣ୍ୟ ସଂକୀର୍ଣ୍ଣତା ଦୂର ।

ଶେଷେ କିନ୍ତୁ ପରାଜୟ ଅବସନ୍ନ ଦେହ ଓ ମନରେ

ଅସହ୍ୟ ଦହନ ଜ୍ୱାଳା ଏଇ ମୋର ସାଧନାର ସିଦ୍ଧି

ଆତ୍ମାର ସନ୍ଧାନେ ଭ୍ରମି କେତେଦୂର ଯୋଜନ ଯୋଜନ

ପଥଭ୍ରଷ୍ଟ ହୋଇଛି ଏ ଶଠତାର ନିଘଞ୍ଚ ଅରଣ୍ୟେ !

ଅନେକ ଅନେକ ଦିନ କରିଛି ମୁଁ ମଣିଷର ପୂଜା

ଆଜି ଏଠି ବାଛିନେଇ ପ୍ରତିମାର ପୂଜା ମୁଁ କରିବି

ସେ ପଛେ ପଥର ହେଉ ମୋ ପାଇଁକି ମୌନ, ନିର୍ବିକାର

ମୁଁ କହିବି ଇତିବୃତ୍ତ ତା ପାଖରେ ବିକ୍ଷୁବ୍ଧ ଦିନର ।

ଆଜିତ ନିର୍ବେଦ ମୋର ଭାଷାନାହିଁ କେବଳ ପ୍ରତିମା

ସ୍ଥାପନା କରି ମୁଁ ଏଠି କହିଯିବି ହୃଦୟର ବ୍ୟଥା

ମଣିଷକୁ ଅବିଶ୍ୱାସ ମଣିଷର ଆଶଙ୍କା ଜର୍ଜର

କେବଳ ଆକୃତି ତଳେ ଶୂନ୍ୟ ସବୁ ଆତ୍ମାର ସମାଧି

ଯେମିତି ହୋଇଛି ତା’ର, ଅବିଶ୍ରାନ୍ତ ଘୂରି ଘୂରି ବୁଲେ

ଅନିଶ୍ଚିତ ଅସ୍ଥିର ଓ ଲକ୍ଷ୍ୟହୀନ ସହସ୍ର କାମନା

ତଥାପି ରହିଛି ଜୀଇଁ ସେ ଚାହୁଛି ନିସ୍‌କୃତି କେବଳ

ବାହାରେ ଭିତରେ ଘେରି ରହିଥିବା ଅଭେଦ୍ୟ ଅନ୍ଧାରୁ ।

Image

 

ପ୍ରକାଶ

 

କେତେ ଏ ଆଖିରୁ ଝରାଇ ଅଶ୍ରୁ ମିଛେ

ସଂଭୋଗ କେତେ ହତାଦରେ ଦେଇ ଦଳି

ଅରମା ଅଜଣା ବାଟରେ ଥୋଇଲି ପାଦ

ଜୀବନବାଦୀ ମୁଁ ଜୀବନ ଆଣିବି ବୋଲି ।

ଆଲୋକ ସେ ଯାହା ଦୁନିଆଁ ଆଖିରେ ଦିଶେ

ନିଶ୍ଚିତ ଯେତେ ଜୀବନର କାରବାର

ତାକୁ ଦେଖି ଦୂରୁ ଶଙ୍କିତେ ଆସି ଫେରି

ଅନ୍ଧାର ସାଥେ ପରିଚୟ ନିତି ମୋର ।

ଗତାନୁଗତିକ ଜୀବନର ସୁଅ ମୁହେଁ

ଯାହାର ନଉକା ଦୂରେ ଦୂରେ ଯାଏ ଭାସି

ସେ କାହୁଁ ଜାଣିବ ଏ ପାଖର ରୀତି ନୀତି

ଏ ପାଖର ଝଡ଼ ବର୍ଷୁକ ଘନ ରାତି ।

ଏ ପାଖେ କ୍ରାନ୍ତି ଖୋଲୁଛି ନୂତନ ରାହା

ଏ ପାଖେ ନିଜକୁ ହଜାଇ ମୁଁ ଖୋଜିପାଏ

ଏ ପାଖେ ହେଲେ ବି ଭଗ୍ନ ଆହତ ସୁର

ଜୀବନର ଗାନ, ଆହ୍ୱାନ ନିତି ଥାଏ ।

ମୁଁ ଯା’କୁ ମଣୁଛି ଅତି ଆପଣାର ମୋର

ନିଃଶେଷ କରି ତା’ଠାରେ ଯାଉଛି ମିଶି

ସେବେଳେ ଦେଖୁଛି ବିସ୍ମୟ ଭରି ମନେ

ମୋଠାରୁ ଅନେକ ଦୂରେ ସେ ଯାଉଛି ହସି ।

ଚାରିପାଖେ ମୋର ପରିପୂର୍ଣ୍ଣ ସେ ରହେ

ଦୃଷ୍ଟିରେ ଖାଲି ହଜିଲା ଛବିର ଛାଇ

କେତେ ନାଚିଯାଏ ମୋଠାରେ ଅକ୍ଷରେଖା

ଆରୋପି, ଅଦୂରେ ଶୂନ୍ୟରେ ଥାଏ ରହି ।

ଅନେକ ଅକ୍ଷରେଖାର କେନ୍ଦ୍ରେ ଥାଇ

ଆପେ ବରିନେଇ ନିବିଡ଼ ଅନ୍ଧକାର

ମୁଁ ଆଜି ସ୍ରଷ୍ଟା ସୃଷ୍ଟିରେ ରହେ ମଜ୍ଜି

ଲିଭିନି ତ ମହା ଆଲୋକର ଉପଚାର ।

Image

 

ଭ୍ରାନ୍ତି

 

ଆମର ସାକ୍ଷାତ ପରେ ଏ ସାମାନ୍ୟ ଅସ୍ତିତ୍ୱକୁ ମୋର

ତୁମଠି ହଜାଇଦେଇ ପୁନର୍ବାର ଖୋଜି ପାଇବାର

ଆଶ୍ଚର୍ଯ୍ୟ ଇଚ୍ଛାକୁ ଯେଣୁ ଅସ୍ୱୀକାର କରି ମୁଁ ପାରୁନି

ମତେ ଆଜି କ୍ଷମାକର ଏ ସ୍ୱପ୍ନ ମୋ ସାର୍ଥକତା ଲଭୁ ।

 

ତୁମର ବିସ୍ତାର ମୋର ବାହ୍ୟ ଏବଂ ଅନ୍ତର୍ବ୍ୟକ୍ତିତ୍ୱକୁ

ଅଦମ୍ୟ ଅବ୍ୟକ୍ତ ଏକ ଶକ୍ତି ପରି ଆବୋରି ରହିଛି

ଯା’ ସ୍ୱରୂପ ବର୍ଣ୍ଣନାରେ ଅସମର୍ଥ ମୂକ ମୁଁ ନିର୍ବେଦ

ସଜ୍ଞାତାର ନିରୂପଣ କରିବାର ଭ୍ରାନ୍ତି ମୁଁ ବୁଝୁଛି ।

 

ଫୁଲ ସବୁ ମଉଳିବ ଓ ଜୀବନ୍ତ ଶଗୁଆ ପତ୍ରକୁ

ଏ ଖରା ନିର୍ମମ ଅତି ନିସ୍‍କରୁଣ ନିଃଶେଷ କରିବ

ଏ ଗ୍ଳାନିର ପଶ୍ଚାତରେ ମନସ୍ତାପ ସାମାନ୍ୟ ନକରି

ହୁଏତ ଆମର ସତ୍ତା ଜାଳିବାର ଉପକ୍ରମ ହେବ ।

 

ଆମେ କିନ୍ତୁ ଦୁର୍ନିବାର, ତୁଚ୍ଛ ସଜ୍ଞା ନିରୂପଣ ବୃଥା

ଦେଶ କାଳ ପାତ୍ରର ଏ ସଂକୀର୍ଣ୍ଣ ସୀମାକୁ ଆମେ ଅତିକ୍ରମ କରେ ।

Image

 

ବରିନେବି ସବୁ

 

ତୁମେ ଯେବେ କହିବ ଏପରି ସଂଭୋଗ ସୁଖ ଭୁଲି

ଭୁଲିଯାଇ ଯେତେ ଅଳସ ବିଳାସ ସୁନ୍ଦର ଧରଣୀରେ

ଏ ପଥେ କାହିଁକି ଚାଲିଛ ବନ୍ଧୁ ଦୈନ୍ୟ ଯାତନା ବହି

ଯୋଜନ ଯୋଜନ ଭରିଛି ତ ଦେଖ ଉଷର ମରୁବ ବାଲି ।

 

ବାଧା ବନ୍ଧନ ଘେରି ବି ରହିଛି

ଥମି ଯିବ ତୁମ ପାଦ

ଘୋର ଅନ୍ଧାରେ ହରାଇବ ଦିନେ ରାହା

ଶୂନ୍ୟ ଜୀବନ ଦୁର୍ବହ ହେବ

ସହି ପାରିବନି ସାଥୀ

ଚାହୁଁ ଚାହୁଁ ପୁଣି ସୂର୍ଯ୍ୟ ବୁଡ଼ିବ

ସଂଧ୍ୟା ନଇଁବ ଧୀରେ

ସରିବନି କେବେ ସରିବନି ଆଉ

ଅମା ଅନ୍ଧାର ରାତି ।

 

ସବୁ ଶୁଣି ଶୁଣି ମୂକ ନିର୍ବାକ

ସବୁ ସହି ସହି ପଥର ହେବ ଏ ଛାତି

ଜଳଜଳ ତୁମେ ଚାହିଁ ଦେଖୁଥିବ

ବିସ୍ମୟ ଭରି ମନେ

ନିଜକୁ କେବଳ ନିଃଶେଷ କରି

ଆଖିରେ ନଥିବ ଲୁହ

ଅକପଟ ମନେ ସତ୍ୟର ପାଇଁ

ଯେତେକ କଷଣ ଲାଞ୍ଛନା ଆଉ

ଅପମାନ ପଛେ ଆସୁ

ଏଇ ପଥ ଧାରେ ହସି ହସି

ସବୁ ବରିନେବି ମଥା ପାତି ।

Image

 

ଗୋଟିଏ ସନେଟ୍‌

 

ଆମେ ବେଶ୍‌ ବନ୍ଧୁପ୍ରିୟ ହୋଟେଲ୍‍ରେ କେତେଜଣ ମିଳି

ଅନେକ ଗପୁଛୁ ଏବେ ଗୁଣୁଗୁଣୁ ଗୀତ କିଛି ଗାଇ

ଚା’ କପ୍‌ରେ ଓଠ ଦେଇ ସବୁତକ ନିଃଶେଷ ବି କରୁ

କ୍ୟାଭେଣ୍ଡାର୍‌ କ୍ୟାପଷ୍ଟାନ୍‍ ବା ଚାର୍‌ମିନାର୍‌ ହାତରେ ଜଳାଇ ।

 

ଚାଇନାର ଆକ୍ରମଣ ରୁଷିଆର ନିରସ୍ତ୍ରୀକରଣ

ଆମେରିକା ବନ୍ଧୁତ୍ୱ ବା ନୂଆ ଏକ ଫିଲ୍ମ ସମ୍ପର୍କରେ

ସାହିତ୍ୟର ଆଲୋଚନା ବେଳେବେଳେ ଆମର ପରିଧି

ଆସି କେବେ ସ୍ପର୍ଶ କରେ ବୁଲୁବୁଲୁ କଲେଜ ଛକରେ ।

 

ବସନ୍ତ ଆସୁଛି ଏବେ ଝରାପତ୍ର ଉଡ଼ି ଉଡ଼ି ଯାଏ

ଏଠି ପୁଣି ନୂଆ ଲାଗେ ସବୁକିଛି ପୁରୁଣା ଯଦିବା

ଏ ବର୍ଷଟା ବଡ଼ ଶୀତ, ଯାହାହେଉ କଟାଇ ଆସିଲେ

କିଛି ଗୋଟେ କରାଯାଉ ଗପ କିମ୍ୱା କବିତା ଲେଖିବା ।

 

ଅନେକ ଉଦ୍ଦେଶ୍ୟ ମଧ୍ୟେ କିଛି ଗୋଟେ ନିର୍ଦ୍ଦିଷ୍ଟ ନଥାଇ

ବିତର୍କ ଜାଲରେ ଖାଲି ଛନ୍ଦି ହେଉ, ନିଜକୁ ହଜାଇ ।

Image

 

ଖେଳସାଥି

 

ଅନ୍ଧାରେ ପିଟି ଅବଶ ଆହତ ଡେଣା

କାହିଁ କେତେଦୂର ଅଜଣା ରାଇଜ ଟପି

ଉଡ଼ି ଉଡ଼ି ଉଡ଼ି ଆସିଲା ପରି ସେ ପକ୍ଷୀ

ଆଲୋକର ଏଠି ଖେଳିବାକୁ ନୂଆ ଖେଳ ।

ଦେଖି ଆଲୋକର ନୂଆ, ରୂପ, ନୂଆ ଛଇ

ଯେତେ ଅଚିହ୍ନାକୁ କରିନେଇ ଆପଣାର

ଅନ୍ଧାରେ ପୁଣି ସୀମାହୀନ ଚଉଭାଗେ

ମିଶିଗଲାପରି ଆଖିରେ ପକାଇ ଧୂଳି ।

ତୁମେ ଆସିଥିଲ ହାୟ ମୁଁ ପାରୁନି ଜାଣି !

ସେ କେତେ ଯୋଜନ ସମୟର ସୁଅ କାଟି

ଅନ୍ଧାରେ କେତେ ଅନୁସରି ଏଇ ରାହା

ଅବା ବାଟ ଭୁଲି କେବେ ଆସିଥିଲ ଛୁଟି ।

ଦେହର ତାତିରେ ବରଷା ଓ ଝଡ଼ ଭୁଲି

ଭୁଲି ସେ ପାଖର ଜୀବନର ହସଖେଳ

ଯେତେ ପାଗଳାମି ସବୁ ଏକଜୁଟ୍‌ କରି

ଏଠି ଆସିଥିଲ ଦେଖିବାକୁ ନୂଆ ଘର ।

ଏ ଘରେ ଆଲୋକ ଉଛୁଳି ପଡ଼ିଲା ସିନା

ସେ ପାଖେ ପଛକୁ ଚାହିଁଲେ ନଦିଶେ କିଛି

ଜହ୍ନ, ପ୍ରଣୟ, ମାନ, ଅଭିମାନ, ହସ

ସେ ପାଖରେ ସବୁ ଅନ୍ଧାରେ ଯାଏ ମିଶି ।

ସେ କେଉଁ ଅଶୁଭ ବେଳାରେ ଆମର ଦେଖା

ଏତେ ହସ ଖୁସି ପାଣିରେ ଗୋଟାଏ ଗାର

ସବୁ ପରିମିତ ସୀମିତ ନିହାତି ଏଠି

ପୃଥୀବୀ ବେକରେ ଅମୂଲ୍ୟ ମୋତିର ହାର !

ଆଲୋକର ଜାଳ ସହି ନ ପାର କି ତୁମେ

ଆଖିର ପଲକେ ଅନ୍ଧାରେ ଗଲ ହଜି

କିଏ ଦେବାଳିଆ କିଏ ସେ ପାରିଲା ଜିତି

କିଛି ବୁଝିଲେନି ଅଦ୍‍ଭୁତ ବଡ଼ ସତେ ।

ବେସୁରା ରାଗରେ ଏଠି ଚାଲିଅଛି ନାଚ

କିଛି ହଜିଗଲା ଜାଣିପାରୁନାହିଁ କେହି

ତାଳହୀନ ନାଚ ଭିତରେ ଯାଉଛି ହଜି

ସତ ଆଉ ମିଛ ପ୍ରେମ ଘୃଣା ସବୁ କିଛି ।

Image

 

ଏକ ଦର୍ଶନ

 

କେହି କେହି ମୁହୂର୍ତ୍ତର ସୁଖ ଦେଇ ଜୀବନ ଦେଖନ୍ତି

ଜୀବନ ଅନିତ୍ୟ ଯେଣୁ ସାର୍ଥକ ସେ ମୁହୂର୍ତ୍ତ ଗୋଟିଏ

ସମସ୍ତ ପଛରେ ରଖି ବିସ୍ମୃତିର ଅତଳ ଗହ୍ୱରେ

ଯେତେ ଗ୍ଳାନି ପୋତି ଦେଇ ଆଣିପାରେ ପ୍ରତ୍ୟୟ ଟିକିଏ ।

 

ମୁହୂର୍ତ୍ତ ସୁଖରେ ଭୁଲି ପରେ ପରେ ପ୍ରତାରିତ ହେବା

ପରେ ପରେ ଯାହା କାମ୍ୟ ଯାହା ଶ୍ଳାଘ୍ୟ ଜୀବନ ଧରାରେ

ଅସ୍ୱୀକାର କରିଯିବା, ତଜ୍ଜନିତ ମନସ୍ତାପ ପାଇଁ

କୁହୁଳି ପୋଡ଼ିବା ଯେବେ ସାର ହୁଏ ଜଳନ୍ତା ନିଆଁରେ–

 

ସେ ସୁଖ ସମାଧି ନେଉ, ନିସ୍ତରଙ୍ଗ ସମୟ ବିସ୍ତୃତି

ତାକୁ ମଧ୍ୟ ଗ୍ରାସ କରୁ, ଆମର ଏ ସୁଖ ଓ ଦୁଃଖରେ

ଆଶା ଓ ନିରାଶା ମଧ୍ୟେ ସତ ଏକା ଗତାନୁଗତିକ

ଜୀବନର ଆକର୍ଷଣ ବହୁସ୍ୱପ୍ନ ପ୍ରତୀକ୍ଷା ଶେଷରେ ।

 

ଯଦିଓ ମୁହୂର୍ତ୍ତ ଏକ ସୃଷ୍ଟି କରେ ବିରାଟ ବିସ୍ମୟ

ସେ ଏକ ବିନ୍ଦୁର ସ୍ଥିତି ରେଖା ଏକ ବ୍ୟାପ୍ତି ଓ ସମୟ ।

Image

 

ଏକ ଝଡ଼ ଶେଷେ

 

ମୁଁ ତୁମକୁ ଖୋଜୁଥିଲି ସତେ ଅବା ଝଡ଼ରେ ବିକ୍ଷିପ୍ତ

ବିଚ୍ଛିନ୍ନ ଆହତ ପକ୍ଷୀ ଖୋଜୁଥିଲା ସାଥୀକୁ ତାହାର

ଯେତେବେଳେ ମେଘ ସବୁ ଆକାଶରେ ବିପର୍ଯ୍ୟସ୍ତ ହୋଇ

ହୁଏତ ବି ଭାସୁଥିଲେ ଦିଗ୍‌ବିଦିଗ କିନ୍ତୁ ଫର୍ଚ୍ଚା ଥିଲା

ଏଣେତେଣେ ଭଙ୍ଗା ଗଛ ଉହାଡ଼ରେ ଭୟାର୍ତ୍ତ ଚିତ୍କାର

ରହି ରହି ଆସୁଥିବା ସତ୍ତ୍ୱେ ବି ସେ ଅକଥ୍ୟ ଦୁଃଖରେ

ମୁଁ ଚକ୍‌କର ମାରୁଥିଲି ସତେ କ’ଣ ତୁମେ ହଜିଥିଲ

ଆକାଶ ପର୍ଯ୍ୟାପ୍ତ ନୀଳେ, ଇତସ୍ତତଃ ମେଘଙ୍କ ଗହଣେ ।

 

ଆମର ସାକ୍ଷାତ ପରେ ହଠାତ୍‌ ଯେ ସ୍ୱପ୍ନଟେ ପରିକା

ତୁମେ କ’ଣ ଆସିଥିଲ ଖାଲି ଗୋଟେ ଇନ୍ଦ୍ରଧନୁ ପରି

ବିଚିତ୍ର ବର୍ଣ୍ଣର ଛଟା ମୁହୂର୍ତ୍ତକେ ସୃଷ୍ଟି କରିଯିବ

ଏବଂ ଆମ ସଂପର୍କର କରିବାକୁ ଯୁଗାନ୍ତ ସାଲିସ୍‌ ।

 

ତୁମର ସଙ୍କେତ ନାହିଁ ଆକାଶରେ ଅନେକ ଦୂରତ୍ୱ

ସେ ପାଖରେ ଉଡ଼ୁଥିଲେ କାଠିକୁଟା ସମାନ କେତେକ

ଭିତରେ ଅଥବା ତୁମେ ଥାଇପାର ଅଲାଜୁକ ଆଶା

ମୋ ଭିତରେ ଜିଇଁଥିଲା ଯେମିତି କି ଯାଦୁକରୀ ମାୟା

ମୋହାଚ୍ଛନ୍ନ କରୁଥିଲାବେଳେ ମୋର ବିକଳ ଆତ୍ମାର

ପ୍ରତିଧ୍ୱନୀ ଶୁଣୁଥିଲି ମିଶିବାର ପବନ ଲହରେ ।

 

ସେ ଝଡ଼ର ଇତିହେବ ପୁନର୍ବାର ଦିବସର ଆଲୋକ ଉତ୍ସବେ

ତୁମକୁ ପାରିବି ଦେଖି ଘୁରୁ ଘୁରୁ ପର୍ଯ୍ୟାପ୍ତ ବିସ୍ମୟେ

ସମୟ ହାରିଛି ସିନା ଟକିଏ ବି ମଉଳି ଯାଇନି

ଫୁଟନ୍ତା ହସର ଫୁଲ ବରଂ ଏକ ନୂତନ ସୌରଭେ

ସେଥିରେ ରହିଛି ହୋଇ ପରିପୂର୍ଣ୍ଣ ଆଖିରେ ଆଖିରେ

ପୂର୍ବପରି ଆବେଗ ଓ ଉତ୍କଣ୍ଠାର ଅଦ୍‌ଭୁତ ପ୍ରକାଶ ।

 

ଏମିତି ଭାବିବା ବେଳେ ଚାହୁଁ ଚାହୁଁ ଆକାଶ ପୃଥିବୀ

ଏକକାୟ କରି କ୍ରମେ ପୁଣି ଏକ ଅତିକାୟ ଝଡ଼

ସେ ପଥେ ଆସିଲା ମାଡ଼ି ଲୁପ୍ତ ହେଲା ଦୃଷ୍ଟି ସୀମା ମୋର

ସେ ସବୁକୁ ଗ୍ରାସ କଲା ପ୍ରାଣମୂର୍ଚ୍ଛା ଉଦ୍ୟମ କଲେବି

ମୁଁ ଯେମିତି ଅଣାୟତ୍ତ ରହିମଧ୍ୟ ଏ ସ୍ଥିତିର ଅର୍ଥ କିଛି ନାହିଁ ।

Image

 

ସଲିଲକି

ଏକ

 

ମନେ ହୁଏ ମୋର ଏତେ ଦିନ ଧରି

ଯେତେ କହିଅଛି କଥା

ସବୁ ସିନା ସତ ତଥାପି ପାରିନି

ଖୋଲି ହୃଦୟର ବ୍ୟଥା ।

 

ଆଲୋକରୁ ଆସି ଅନ୍ଧାରେ ପଡ଼ି

ଝୁରି ମରୁଅଛି ଖାଲି

ଆଲୋକ ସେ କାହିଁ କେତେ ଦୂରେ ଅବା

ସରିବ ଏ ମରୁବାଲି !

 

ଉଜୁଡ଼ା ଭୂଇଁରେ ଫସଲର ଆଶା

ଦୂର ପରାହତ ପରି

ଆକାଶରେ କୋଟି ତାରା ଫୁଲ ଦେଖି

ମୁଁ ଚାହୁଁଛି ଆଖି ମଳି ।

 

ସପନ ନୋହି ବି ମନ ବଳୁନାହିଁ

ତାକୁ କହିବାକୁ ସତ

ପବନରେ ଖାଲି ସୁର ଭରି ଅଛି

ବାରି ହୁଏ ନାହିଁ ଗୀତ ।

 

ଥରି ଥରି ଧୀରେ ଘଣ୍ଟାର ତାନ

ସମାନ ଆସୁଛି ଭାସି

ମିଛେ ଶୋଇ ରହି ଅନୁସରି ତାକୁ

ବାର ବାର ଉଠେ ହସି ।

 

ଆତ୍ମାହୀନ ଏ ଭୂତ ଗହଳରେ

ମିଶିବାକୁ ମାଡ଼େ ଡର

ଭଲଲାଗେ ତେଣୁ କିଛି କାଳ ହେବି

ସବୁଜାଣି ଅଜାଣର ।

Image

 

ସଲିଲକି

ଦୁଇ

 

ସପନେ ମଜ୍ଜି ରହି ବି ଏତେଦିନ

ଚେତନା ଯେବେ ଆସିଲା ନାହିଁ ଫେରି

ଚାହେଁ ମୁଁ ଖାଲି ଚକିତେ ଆଖି ମଳି

କେତେ ଯେ ରାତି ଅନ୍ଧକାର ଠେଲି ।

 

ଆସିଲି ସତେ ଆଗରେ ଅସୁମାରୀ

ପଥର ସୀମା ରହିଛି କେତେ ଦୂରେ

ପାରୁନି କଳି ପଛକୁ ଫେରି ଚାହିଁ

କେବଳ ଦେଖେ ଅନ୍ଧକାର ଘେରେ ।

 

ଅନ୍ଧକାରେ ଆଲୋକ ଉପଚାର

ମୋ ଲାଗି କେହି ଆଣିତ ନାହିଁ ଦିନେ

ଜୀବନେ ସବୁ ମଣିଲି ଆପଣାର

ଶୋଚନା କ’ଣ ନ ଜାଣି କେବେ ମନେ ।

 

କେତେ ଯେ ମାସ ବରଷ ଗଲା ବିତି

ସବୁରି ମନେ ନିଜକୁ ଗଲି ଭୁଲି

କା’ପାଇଁ କେତେ ଗାଇଲି ନୂଆ ଗାନ

ଆଖିରୁ କେତେ ଲୋତକ ଦେଇ ଢାଳି ।

 

ଛନ୍ଦହରା ଆକୁଳ ଆବେଗରେ

କେବେ ବା ପୁଣି ହସିଲି କୁତୁହଳେ

ତେବେ ବି ସବୁ ଅବୁଝା ଗଲା ରହି

ବିସ୍ମୟର ପରଦା ଅନ୍ତରାଳେ !

 

ଜୀବନ ସାଥେ ଖେଳିବି ବାଇ ହୋଇ

ନିଜକୁ ଜାଣି, ଜାଣି ବି ପାରୁ ନାହିଁ

ସୃଷ୍ଟିରେ କି ସଂଯୋଯନ ଏକ

ଭୁଲିଛି ପଥ, ଆସିଛି ବଣା ହୋଇ !

 

ମୋ ପାଇଁ କେତେ ଝରିଲା ଫୁଟି ଫୁଲ

ଏ ଚଲା ପଥେ ସୁରଭି କିବା ତା’ର

ଆଣିଛି ଲୁଟି ? ଆଜି ମୋ ମନେ ନାହିଁ

ହେଲେ ବି ଆଉ ଅଛି କି ପ୍ରତିକାର ?

 

ଅଦ୍‌ଭୁତ ଏ ଚେତନା ଫେରେ ନାହିଁ

ଚମକି ଚାରିଦିଗେ ମୁଁ ଯେତେ ଚାହେଁ

 

ଦୂରେ ଓ ଅବା ନିକଟେ ଜଳି ଉଠି

ଅନେକ ମୁହଁ କାହିଁ ଯେ ହଜିଯାଏ ।

Image

 

ଆମ କଥା

 

ହେଇ ଶୁଣ ବର୍ଷା ଝରେ ଅବିଶ୍ରାନ୍ତ ଘାସେ ଘାସେ ପ୍ରାନ୍ତରେ ପ୍ରାନ୍ତରେ

ପାଗଳ ବତାସ ବହେ ସାଇଁ ସାଇଁ ପତ୍ରର ଗହଳେ

କି ଏକ ଅବ୍ୟକ୍ତ ସ୍ୱର ! ବୃଷ୍ଟି ଝରା ଅସ୍ପଷ୍ଟ ଦିଗନ୍ତ

ଏଇତ ସ୍ପନ୍ଦିତ ହୁଏ ସେଇକଥା ଶୂନ୍ୟାକାଶେ ଭାସେ ।

 

ବିକ୍ଷୁବ୍ଧ ଦିଗାନ୍ତେ ଯେବେ ବର୍ଷା ଝରେ ଟୁପ୍‌ ଟାପ୍‌ କଥା

ଗଛେ ଗଛେ ଶୁଣାଯାଏ; ବୁଝି ମଧ୍ୟ ବୁଝି ହୁଏ ନାହିଁ

ତୁମର ଅକୁହା କଥା ସତେ ଅବା ରୂପ ନିଏ

ସଜଳ ସନ୍ଧ୍ୟାରେ ଏଇ ଅଦିଗନ୍ତ ବ୍ୟାପ୍ତ ଚରାଚରେ ।

Image

 

ଏକ ବର୍ଷ ବିଦାୟ ବେଳେ

 

ଯେ ଜୀବନ-କଳି ଚମ୍ପକ ସମ

ଦିନେ ଉଠୁଥିଲା ହସି ହସି

ବର୍ଷ ବିଦାୟ ବେଳେ ତାକୁ ଆଜି

ଥରେ ସାଥୀ ତୁମେ ଦେଖିନିଅ

ଗହଳ ସବୁଜ ପତ୍ର ଗହଳେ

ଆଜି ସିଏ ଦେଖ–ହସୁଛି ଯେ

ଦିଗେ ଦିଗେ ଛୁଟେ ସୌରଭ ତା’ର

ଅନ୍ତରେ ଥରେ ଭରିନିଅ ।

ସରଣୀ ସରିଛି, ଅଥଳ ଜଳରେ

କ୍ଷୁଦ୍ର ଏ ତରୀ ଭାସିଯାଏ

ଆକାଶେ ଆକାଶେ ବଜ୍ର ବରଷା ଗରଜନ

ଏବେଳେ ପୁଣି ବି ପାଗଳ ସମାନ

ଝଡ଼ ମାତିଅଛି ଚଉପାଶେ

କାଲିର ଜୀବନ ଦୁର୍ବହ ଏଡ଼େ

ଏକି ମରଣର ଆବାହନ !

ମରଣ ଆସିବ ଶଙ୍କା କାହିଁକି

ସେ କି ଜୀବନର ପରିଣତି

ରୁଦ୍ଧ ସେ କାରା ନୁହେଁ ଫିଟିବାର

ମୁକ୍ତି ସେଥିରୁ ନାହିଁ ଆଉ ?

ଆମ ଲାଗି ଖାଲି ସଂଚିତ ଏଠି

ବ୍ୟର୍ଥ ବେଦନା ଅଭିମାନ

ବିଦ୍ରୂପ ଛଳେ ଏଠି ତୁଳା ହୁଏ

ନିତି ନିତି କ’ଣ ଆମ ଭାଉ ।

ମରଣ ଟଳିବ; ପାଷାଣ ଛାତିରୁ

ବହିବ ରକ୍ତ ଧାର ଧାର

ଆଖିର ଲୁହରେ ରୂପ ନେଇ ତାହା

କହିବ କରୁଣ ଯେଉଁ କଥା

ସେ କାହାଣୀ ନୁହେଁ ପିଲା ମନ ଭୁଲା

ନିତି ଦିନ କଥା ସମାଜର

ଆମେ କହିଯିବା ଝଡ଼ ତାଳେ ତାଳେ

ପୋଛି ଦେଇ ଯେତେ ଛାର ବ୍ୟଥା ।

ସେ ବେଳେ ଦେଖିବ ଝଡ଼ ଥମିଯିବ

ହସିବ ଆଲୋକେ ଆମ ପଥ........

ଉଦାସ ପବନେ ଥିରି ଥିରି ଭାସି

ନଉକା ଚଳିବ ଆନମନେ

ସୁଦୂର ସେପାରି ବିଲ ବଣ ଗାଆଁ

ଆକୁଳ ଡାକିବ ରହି ରହି

ମୁକୁଳା ଦୁଆର କରି କେ ଲୋଡ଼ିବ

ଆମ ବନ୍ଦନା ଶୁଭଦିନେ ।

Image

 

ମଧ୍ୟାହ୍ନ ବର୍ଷା

 

ଯେ ବର୍ଷା ପଡ଼ିଲା ଝରି ସେ ଦିନର ତପ୍ତ ମଧ୍ୟାହ୍ନରେ

ଧୂସର ମାଟିର ଦେହେ, ବିପର୍ଯ୍ୟସ୍ତ ଉଷର ଅରଣ୍ୟେ

ସେ କି ସତେ ଆଣିଲାନି ବାର୍ତ୍ତା କେଉଁ ବିରହୀ ଯକ୍ଷର

ଦୂର ରାମଗିରି ଚୂଡ଼ ଅତିକ୍ରମି ଯୋଜନ ଯୋଜନ ?

 

ସେଥିରେ ନଥିଲା ଭରି ଆଶା ଏବଂ ହତାଶା-ଜର୍ଜର

ବହୁ ସ୍ମୃତି ବହୁକଥା, ସ୍ଥିର ଦୃଷ୍ଟି କରୁଣ ବିଷନ୍ନ

ହୃଦୟର ଭାବାବେଶ, ଆକୁଳତା, କ୍ରନ୍ଦସୀ ପୃଥିବୀ

ପ୍ରିୟାସ୍ପର୍ଶ-ବିଧୂରିତ-ସ୍ୱପ୍ନ କିଛି ଅବରୁଦ୍ଧ ସୁପ୍ତ ଚେତନାର ?

 

ସେ ବର୍ଷା ଆଣିଛି ସବୁ ପାରିହୋଇ ସମୟର ସୀମା

ସେ ବର୍ଷା କହିଛି ସବୁ ତୁନି ତୁନି ପ୍ରେୟସୀ କାନରେ

ସେ କାହିଁକି ସାଇତିଛି କରିତାକୁ ଅସ୍ଥି ମଜ୍ଜାଗତ

ତା ପ୍ରାଣର ସ୍ପନ୍ଦନରେ, ତା ଆଖିର ନିସ୍‌ପ୍ରଭ ଆଲୋକେ ।

 

ପୃଥିବୀ କି ରଖିଅଛି ସ୍ମୃତି ସବୁ ସେ ଦିନ ବର୍ଷାର

ସେଠି କି ଧ୍ୱନିତ ଆଜି ଯେତେ କଥା ସେଇ ମଧ୍ୟାହ୍ନର ।

Image

 

ଜ୍ୱଳନର ଗାନ

 

ମୁଁ ଯାର ସ୍ୱପ୍ନରେ ଭାସେ, କଳ୍ପନାର ରଙ୍ଗ ବୋଳି ନିତି

ମୁଁ ଯାର ଅସ୍ତିତ୍ୱ ଖୋଜେ, ଆକାଶର ବିଚିତ୍ର ବର୍ଣ୍ଣର

ଇନ୍ଦ୍ରଧନୁ ସୃଷ୍ଟି କରି ସେ ଯଦିବା ହୁଅଇ ନିଃଷ୍କ୍ରାନ୍ତ

ତା ପଦର ଧ୍ୱନି ଶୁଭେ ଦିଗେ ଦିଗେ ସ୍ପନ୍ଦିତ ଯେପରି ।

 

ନିସ୍ତବ୍ଧ ରାତିରେ କେବେ ରୁଣୁଝୁଣୁ ନୂପୁର ନିକ୍ୱଣ

ସଂଗୀତର ଭ୍ରମ ଆଣେ, ଅବା କେବେ ଚୁପ୍‌ଚାପ୍‌ କଥା

ଆକାଶେ ପବନେ ଝରେ କାମନା ଓ ବହୁସ୍ମୃତି ମିଶି

ସହସା କରଇ ଏକ ପ୍ରଜ୍ଜ୍ୱଳିତ ଅଗ୍ନିର ଦହନ ।

 

ସେ ଅଗ୍ନି, ସେ ସର୍ବଗ୍ରାସୀ ଦେଖେ ରହି ଅବାକ୍‌ ବିସ୍ମିତ

ମୋ ସମସ୍ତ ଅବୟବେ ଏବଂ ପ୍ରତି ଶିରା ପ୍ରଶିରାରେ

ସଂଚରିତ ହେବା ସତ୍ତ୍ୱେ କେମିତି ବା ନିର୍ବିକଳ୍ପ ରହେ

ପୁନର୍ବାର ରସାଣିତ ଜ୍ୱଳନର ମହାନ୍‌ ଦୀପ୍ତିରେ ।

 

ସେଥିରେ ହିଁ ପୌରୁଷର, ପରିପୂର୍ଣ୍ଣ ଆତ୍ମସମୀକ୍ଷାର

ବଳିଷ୍ଠ ସ୍ୱାକ୍ଷର ସ୍ପଷ୍ଟ, ଯାହା କିଛି ସତ୍ୟ ଦର୍ଶନର ।

Image

 

ସକାଳ

 

ସକାଳେ ସିନ୍ଦୂର ମେଘେ କୁହୁଡ଼ିର ଆବରଣ ତଳୁ

ଏଠି ଯେବେ ସୂର୍ଯ୍ୟ ଉଠେ କ୍ଳାନ୍ତିକର ବିଗତ ରାତ୍ରିର

ଅନେକ ସ୍ୱପ୍ନର ଭିଡ଼େ, ବ୍ୟସ୍ତ ଆଉ ବିଷନ୍ନ ମନରେ

ମୁଁ ହଠାତ୍‌ ଜାଗିଉଠେ ଏ ସୂର୍ଯ୍ୟରେ କରି ନମସ୍କାର ।

 

ଚାରିଆଡ଼େ କୋଳାହଳ, ପଉଷର ଏ ମ୍ଳାନ ସକାଳେ

କ୍ରୀସ୍‌ମାସ, ପ୍ରଭୁ ଯୀଶୁ ଦୟାର୍ଦ୍ର ଈଶ୍ୱର ଦେହେ ରକ୍ତଛିଟା ସେ କେଉଁ ଯୁଗର

ରାସ୍ତାଘାଟେ ଉନ୍‌ମାଦନା, ପୋଷାକର ଚାକଚକ୍ୟ ହୃଦୟରେ ଅକଥ୍ୟ ଆସକ୍ତି

ଏ କେଉଁ ସ୍ପନ୍ଦନ ପୁଣି ଅନୁନୟ ଏ କେଉଁ ଆତ୍ମାର ।

 

ଅନେକ ପ୍ରଶ୍ନର ଜାଲେ ସତେ କ’ଣ ଛନ୍ଦି ହେବ ଅସଂହତ ମଣିଷର ମନ

ବାହାରର ବ୍ୟଗ୍ରତା ଓ ମୋହାଚ୍ଛନ୍ନ ଅରଣ୍ୟ-ଅନ୍ଧାରେ

ମୋପରି ସେମାନେ ସବୁ ହରାଇ ବି ସ୍ଥାଣୁତ୍ୱ ଆବୋରି

ଖୋଜିଲେ ସ୍ୱଚ୍ଛନ୍ଦ ଗତି, ମୁହଁରେ ଇଷତ୍‌ ହସ, ନିଆଁର ସମୁଦ୍ର କମ୍ପେ, ଥରଥର ହୃଦୟ ଭିତରେ ।

 

ସକାଳେ ସିନ୍ଦୂର-ମେଘେ ଯାହା ସବୁ ନଷ୍ଟ ହେଲା, ଯାହା ହେଲା ମ୍ଳାନ,

ସେ ସବୁର ରଙ୍ଗ ଝରେ, ଆକାଶ ପବନ ଭରେ ନିସ୍ତବ୍ଧତା କରୁଣ ବିଷର୍ଣ୍ଣ ।

Image

 

ଦୁଇଟି ଗୀତ

ଏକ

 

ନଉକା ମୋହର ଧୀରେ ଧୀରେ ଯାଏ ବାହିରେ

ଦୂର ପଥ ଦିଶେ ନାହିଁ

ନୀଳ ନୀଳ ଜଳ ଆକାଶ ଛୁଇଁଛି

ବାରି ହୁଏ ନାହିଁ ମାଟି ଆକାଶର ସୀମା

ପଛେ ରହିଲା ଯେ ବିଲ ବଣ ଗାଆଁ

ଆଉ ଦିଶେ ନାହିଁ ଜମା ।

ଜୀବନର ଭାଉ କଳି ନେବା ପାଇଁ

ଝଡ଼ ଅମାରାତି ଘୋର

ଏ ପଥରେ ଦିନେ ଆସିଥିଲା ଘେରି

କରିସବୁ ଚୁର ମାର ।

ଝଡ଼ ଗଲା ଥମି

ସବୁକୁ ସାଉଁଟି

ସବୁ କରି ଆପଣାର

କି ମହା ଆବେଗେ ଚାହିଁ ଚାହିଁ ପଥ ଦୂର

ସଂଗୀତ ତାଳେ ନୀଳ ଜଳ ରାଶି ଛୁଇଁ

ନଉକା ମୋହର ଏଇ ଯାଏ ଧୀରେ ବାହି ।

 

ଦୁଇ

 

ଗୀତ ମୋର ଛୁଇଁ ଛୁଇଁ ଯାଏରେ

ଥିରି ଥିରି ପବନର ଲହରେ

କଳା କଳା କେଶେ ତୋର ରସି ହସି ଯାଏ ସେ

କେତେ ଆଖି ଲୁହେ ଭରା କେବେ ପୁଣି ବିରସେ

ମୋ ଗୀତରେ ହସ କା’ର, କା’ର ମାନ ଅଭିମାନ

କା’ର ମନଛୁଆଁ କଥା କି ମଧୁର, ଗୋପନ

ନୀଳପରୀ- ରାଇଜର ସପନରେ ମଗନ ସେ କେବେରେ

ଗୀତ ମୋର ଛୁଇଁ ଛୁଇଁ ଯାଏରେ

ଥିରି ଥିରି ପବନର ଲହରେ ।

Image

 

ସେ ଦିନ

 

କେବେ ଯଦି ବସିରହି ଆନମନେ ଅଳକାପୁରୀରେ

ଆସନ୍ନ ଅନ୍ଧାରେ ଅବା ସଂଧ୍ୟା ଧୀରେ ନଇଁ ଗଲାବେଳେ

ଅମେଘ ଆକାଶ ପରି ନିର୍ବିକାର ତୁମର ମନରେ

ଅଦିନର ଧୂମକେତୁ-ସ୍ମୃତି ମୋର ଭାସି ଭାସି ବୁଲେ;

ଶୋଚନା କରିବ କିଆଁ ପାରିହୋଇ ବୃତ୍ତର ପରିଧି

ପାରିହୋଇ ସେ ଆଶ୍ୱସ୍ତ ଜୀବନର ଅଲଂଘ୍ୟ ପ୍ରାଚୀର

କାହିଁକି ଭାବିବ ତୁମେ ପଥ ଖୋଜି ବୁଲୁଥିଲା ବେଳେ

ଅତୀତେ ଏକଦା କେବେ ଏଠି ରହିଥିଲା ପଦଚିହ୍ନ ।

 

ଆଷାଢ଼ ଆକାଶ ଘେରି ସେଦିନ କି କଳା କଳା ମେଘ

ଇତସ୍ତତଃ ଯାଉଥିବ, ଯେତେ ଯେତେ ଆଶା ଓ ନିରାଶା

ତା ଭିତରେ ଲୁଚିଯିବ, ଜୀବନର ବ୍ୟର୍ଥ ଯେତେ ଗାନ

ହଠାତ୍‌ ବି ଶାନ୍ତ ହେବ ହୃଦୟର ନିଭୃତ ଅଭିପ୍‌ସା ।

 

ନିଶ୍ଚିତ ଆଶ୍ରୟ ଲଭି ପୋଛିଦେବ ଆଷାଢ଼ର ସ୍ୱପ୍ନ

ଅନେକ ଦୃଷ୍ଟିର ଭିଡ଼େ ହଜିଯିବ ସେ କେଉଁ ବିବର୍ଣ୍ଣ-

ମୁହୂର୍ତ୍ତର ପ୍ରତିବିମ୍ୱ, ଯାହା ଖାଲି ଗ୍ଳାନିର ଅସ୍ତିତ୍ୱ

ଜାହିର କରିବା ପାଇଁ ଦେଖାଦିଏ ସ୍ମୃତିର ଦର୍ପଣେ ।

 

ହୁଏତ ପ୍ରଥମ ଦେଖା ଶାପ କେଉଁ ଅପଦେବତାର

ସେଥିରୁ ନିସ୍ତାର ନାହିଁ ସୀମିତ ଏ ଜୀବନ କାଳରେ

ତେଣୁ ଏଠି ସତ ସବୁ ଶାପଗ୍ରସ୍ତ ମନର ବିକାର

ନିଜକୁ ବୁଝାଇ ଦେଇ ସବୁକିଛି ଭୁଲି ହୋଇପାରେ ।

Image

 

ଗୋଟିଏ ପକ୍ଷୀ

 

ଅଜଣା ରାଇଜୁ ଆକାଶେ ସଂଚାରି ଧୀରେ ଆହତ ଡେଣା

ଅନାଗତ କେଉଁ ସ୍ୱପ୍ନ ସାଇତି କାତର ଆତୁର ପରାଣେ ତା’ର

ଗହଳ ସବୁଜ ବୃକ୍ଷ ଶାଖାରେ ଆଶ୍ରୟ ଲୋଡ଼ି ଆକୁଳେ ଅତି

ଉଡ଼ି ଉଡ଼ି ଉଡ଼ି ଆସିଥିଲା ପକ୍ଷୀ ପଥବାହି କେତେ ଯୋଜନ ଦୂର ।

ପ୍ରଖର ରୌଦ୍ରେ ଦଗ୍‌ଧ ହୋଇ ସେ ଝଂଜା ବତାସ ନମାନି ତିଳେ

ବଜ୍ର ବରଷା ଶିର ପରେ ବହି ପୁଞ୍ଜିତ କେତେ ଯାତନା ଘୋର

ସତେ ନେଲା ବରି ହସି ହସି ଖାଲି କଣ୍ଠେ ଭରି ତା’ ଜୀବନ ଗୀତି

ଅମୃତ କଲା ହଳାହଳ ଯେତେ କି ଆବେଗ ଧରି ପରାଣେ ତା’ର ।

ପଥେ ପଥେ କେତେ ହିଂସ୍ର ଆଖିର ଦୃଷ୍ଟିର ଶରେ ବିଦ୍ଧ ହୋଇ

ସଜ୍ଞାବିହୀନ ଦେଖିଲା ସେ ଖାଲି ଆଶ୍ରୟ ଛଳେ ରୁଦ୍ଧ କାରା–

ତା ଲାଗି ରହିଛି କେହିତ ବୁଝୁନି ଅନ୍ତର ତଳ ଅକୁହା କଥା

ସବୁ ଯେ କେବଳ ମିଥ୍ୟା-ବେଭାର ସ୍ୱାର୍ଥରେ ସବୁ ହୋଇଛି ଭରା ।

ବାଧା ବନ୍ଧନ ନମାନି ଆସିଲା ଘନ ଅନ୍ଧାରେ ପକ୍ଷ ଚାଳି

କେତେ ଦୁର୍ଗମ ଗିରି କାନ୍ତାର ପଶ୍ଚାତେ ସବୁ ରହିଲା ତା’ର

କେତେ ନଦ ନଦୀ ବନଭୂମି କେତେ ଶସ୍ୟ କେଦାର ମମତା ଏଡ଼ି

ଉଡ଼ି ଉଡ଼ି ଉଡ଼ି ଆସିଥିଲା ପକ୍ଷୀ ବହି ଦୁର୍ବହ ଜୀବନ ଭାର ।

ଝଡ଼ ବର୍ଷାରେ ଯାତ୍ରା ପଥରେ ବିଦ୍ୟୁତ୍‌ ହେଲା ତା ସହଚର

ସନ୍ଧ୍ୟା ଆକାଶେ ଜହ୍ନ ଓ ତାରା ଆସ୍ୱାଶି କେତେ କହିଲେ ନିତି

ଶୂନ୍ୟ ଜୀବନେ ନେବା ପାଇଁ ଲୋଡ଼ି ଆଶ୍ରୟ ଏକ ମରମ ତଳୁ

ଲକ୍ଷ୍ୟ ବେଦନା ଶମାଇ ଦେବାକୁ, ଧୂସର ଅତୀତ ଦେବାକୁ ପୋତି ।

ଅକୁହା କି କଥା ଅନ୍ତରେ ତା’ର ସାଇତି ରଖିଲା କେଜାଣି କେତେ

ଦୁଃସହ ହେଲା ମୁକ୍ତ ଜୀବନ ସହସା ଏକଇ ରାତ୍ରି ଶେଷେ

ସାହା ସାଥି ହୀନ ଜୀବନ ମରୁରେ ଆଶ୍ରୟ ଦେଲା ବନ୍ଧୁ ଜଣେ

ଅନାବିଳ ମନେ ବରିନେଲା ପକ୍ଷୀ ତାକୁ ଅନ୍ତର ପୀରତି ରସେ ।

ସଞ୍ଚିତ ଯେତେ ମନ କଥା ତା’ର ପରାଣ ସାଥୀକୁ କହିବା ଆଗୁଁ

ଆକାଶେ ଆକାଶେ ବିପ୍ଳବ ଆଣି ଗର୍ଜିଲା ମେଘ ଥରକୁ ଥର

ଝଞ୍ଜା ବତାସେ ହଜିଗଲା ଦିଗ ଦୁର୍ବହ ହେଲା ଜୀବନ ପୁଣି

ଶୂନ୍ୟରେ ଖାଲି ମହାଶୂନ୍ୟରେ ସ୍ଥିତି ନିର୍ମମ ରହିଲା ତା’ର ।

ଝଡ଼ ଥମିଗଲା ବିଲ ବଣ ଭୂଇଁ କାନ୍ତାର ଯେତେ ପଡ଼ିଲା ରହି

ଚମକି ଚାହିଁଲା ପକ୍ଷୀର ସାଥୀ ପ୍ରସାରି ଉର୍ଦ୍ଧ୍ୱେ ନୟନ ତା’ର

ଦୃଷ୍ଟିର ସୀମା ଦୂରେ ହଜିଯାଏ ତା ପରି ଅନେକ ରହିଲେ ଠିଆ

କିଏ କେତେ ଦୂରେ ସ୍ନେହ ବନ୍ଧନ ସତେ ବା ଗୋଟିଏ ପାଣିର ଗାର ।

Image

 

ଅପରୂପା

 

ଦୂରର ଅଭେଦ୍ୟ କେଉଁ ଅନ୍ଧକାର ଅରଣ୍ୟ ଭିତରେ

ହିଂସ୍ର ବ୍ୟାଘ୍ର ଲୁଚିଗଲା ଦିଶିଲାନି ଆକାର ପ୍ରକାର

ଗଛ ସବୁ ହଲିଯାଇ କିଛି କ୍ଷଣ ପରେ ପୁଣି ସବୁ

ଚୁପ୍‌ଚାପ୍‌ ରହିଗଲା ଯେମିତିକି କିଛି ଘଟି ନାହିଁ ।

ରାତି ଯେବେ ପାହିଗଲା ଫର୍ଚ୍ଚା ହେଲା ଘର ଓ ବାହାର

ଅବସନ୍ନ ଆଖିପତା ଦର୍ପଣରେ ଦେଖିନେଇ ମୁହଁ

ଅପରୂପା ଚମକିଲା କଳା କଳା କେଶରେ ତାହାରି

ବୟସର ଚିହ୍ନ ଦିଶେ ଧଳା କଳା ରଙ୍ଗର ମିଶ୍ରଣ ।

କ’ଣ ହେଲା କିଛି ନାହିଁ ରେଡ଼ିଓଟା ଖୋଲାଯାଉ ଦେଖି

କି ସୁନ୍ଦର କଣ୍ଠ ତା’ର ମନବୋଧ ଚଉତିଶା ଆହା

କିଏ ସେ ଗାଉଛି ସିଏ ଭୂତ ହେବ ଏ ଘଟ ଛାଡ଼ିଲେ

ଚିତ୍ର ପ୍ରତିମାର ରୂପ ସତ ନୁହେଁ ନାରଖାର ଏ ଦେହ ଭିତରେ

ଅପରୂପା ଥକାମାରି ବସିଗଲା ଆଉ ତା’ର ଚାରିପାଖ ଦେଇ

ଏ ପୃଥିବୀ ଘୂରିଗଲା ଆଗପଛ ଓଲଟ ପାଲଟ

ଅଲିଅଳ ପିଲାଦିନ ଧୂଳିଖେଳ ବୋହୂ ବୋହୂ ରଜ ଦୋଳପର୍ବ

ଭିତରେ ହଠାତ୍‌ ପୁଣି ହଜାଇ ତା’ ସ୍ୱରୂପ ଦେଖିଲା–

ପିତାଙ୍କର କନ୍ୟାଦାନ ବେଦମନ୍ତ୍ର ମଙ୍ଗଳ-ବେଳାରେ

ଜ୍ଞାତି ବନ୍ଧୁ ଗହଣରେ ତା’ ହାତରେ ଅନ୍ୟର ସଂଯୋଗ

କୁଶ-ଗଣ୍ଠି ମାଧ୍ୟମରେ ହୋମଶିଖା ଉଜ୍ଜ୍ୱଳ ଆଲୋକେ

ଅବଗୁଣ୍ଠନର ତଳୁ ଥରି ଥରି ସଜଳ ଆଖିରେ

ଆଶା ଆଶଙ୍କାର ଏକ ସ୍ତରୀଭୂତ ଅଦୃଷ୍ଟ ସରଣୀ

ତା’ପରେ ଏ ଘରେ ବଧୂ ହଜିଗଲା ଚଳଚିତ୍ର ପରି

ସେ ଗାଆଁ ପୋଖରୀ ବିଲ ଆମ୍ୱତୋଟା ଗୋହିରୀ ଟାଙ୍ଗର

ପଛରେ ପଡ଼ିଲା ରହି କେତେ ସ୍ମୃତି ବିଗତ ଦିନର ।

ବାପା, ବୋଉ, ଖୁଡ଼ି, ଅପା, ମିତ ଆଉ ଗୋଲାପ, ବଉଳ

ଯାନିଯାତ୍ରା ମେଳଣର ହସ ଖୁସି ସୁଆଗ ସ୍ନାହାନ ।

ଏ ପୁର ମମତା ପାଇଁ ଏ ସ୍ନେହର ବନ୍ଧନ ସୂତ୍ରରେ

ପର ବି ଆପଣା ହେଲେ ପରସ୍ପର ପ୍ରାଣ ବିନିମୟେ ।

ଠିକ୍‌ ଥିଲା ଏଠି ସବୁ ସେ ଦିନର ପ୍ରଳୟ ଝଡ଼ରେ

ସବୁ ହେଲା ବିପର୍ଯ୍ୟସ୍ତ, ବିଶୃଙ୍ଖଳ ଅପରୂପା ସଂସାର ଭିତରେ

ହାତରୁ ଖସାଇ ଚୁଡ଼ି, ପୋଛି ଦେଇ ମଥାରୁ ସିନ୍ଦୂର

କିଛି ଜାଣି ନ ଜାଣିଲା ପରି ସିଏ ଆଖି ଲୁହେ ଭସାଇ ଭସାଇ

ଅନେକ ଅକୁହା କଥା, ମଥାନଇଁ ପଥର ଛାତିରେ

ଘରକୁ ଆସିଲା ଫେରି ଗାଆଁ ମୁଣ୍ଡ ପୋଖରୀ ତୁଠରୁ

ନଅ ବର୍ଷ ଶିଶୁ ପୁତ୍ର ମୁହଁ ଚାହିଁ ଦେବାକୁ ବିତାଇ

ଅସରା ତା ଦିନ ଗୁଡ଼ା ଅଲାଜକ, ଅଖୋଜା ଅଲୋଡ଼ା ।

ସବୁ ସିନା ଜଳିଗଲା ସ୍ନେହପ୍ରୀତି ଆଡ଼ରୁଷା ଅଭିମାନ ଶଙ୍ଖା ଓ ସିନ୍ଦୂର

କାମନା ରହିଲା ଜୀଇଁ ନିଆଁ ପରି କୁଢ଼ କୁଢ଼ ପାଉଁଶ ଭିତରେ

ସମାଜକୁ ସାକ୍ଷୀ ରଖି ତିଳ ତିଳ ଅନ୍ତର୍ଦାହ ଗ୍ଳାନି ଆଣି ଦେହ ଓ ମନରେ

ଜାହିର କରିବା ପାଇଁ ତା ସତୀତ୍ୱ, ଦରପୋଡ଼ା ବ୍ୟକ୍ତିତ୍ୱ ତାହାର

ମନର ବିକାର ସବୁ । ଜଳିଯାଉ ଅପରୂପା ଭାବୁଥିଲା ବସି

କୋଳରେ ଆଶ୍ଳେଷି ଧରି ମୁଲାୟମ୍‌ ମାଂସଳ ତା ପୁସି

ଜଳ ଜଳ ଆଖି ତା’ର ରକ୍ତ ମୁଖା ନିସ୍‌ପ୍ରଭ ଓ କ୍ଳାନ୍ତ

ଖୁବ୍‌ ଯେ ଅଶ୍ୱସ୍ତ କର ଏ ସକାଳ, ଏ ବ୍ୟସ୍ତତା, ସୂର୍ଯ୍ୟୋଦୟ ତା’ର ।

Image

 

ତାରା

 

ଆକାଶେ ଆଜି ଜହ୍ନ ନାହିଁ

ମେଘର ନାହିଁ ଟିକିଏ ହେଲେ ସୂଚନା

କେତେ ଯେ ତାରା ମଉଳି ଗଲେ

ନିମିଷକର ସ୍ୱପ୍ନ କରି ରଚନା ।

ରାତିର ଯେତେ ଜାତିର ଫୁଲ

ଫୁଟିଲେ ଦେହେ ମହକ ନେଇ କେତେ

ଅନ୍ଧକାର ନ ହେଉ ଶେଷ

ଧୂଳିରେ ଲୋଟିପଡ଼ିଲେ ହାୟ ସତେ !

କେବଳ କୋଟି ଯୋଜନ ଦୂରେ

ଆଖିର ସୀମା ପାଉନି ଯାହା ଛୁଇଁ

ନିର୍ବିକାର ଗୋଟିଏ ବୋଲି ତାରା

ରହିଛି ଯାହା ରହିଛି ମତେ ଚାହିଁ ।

ତାହାକୁ ଘେରି ଅସୀମ ନୀଳ

ଆକାଶ ଗୋଟା ରହିଛି ଚଉପାଶେ

ତେବେ ବି ତା’ର ଶଙ୍କା ନାହିଁ ଟିକେ

ଶୋଚନା ନାହିଁ ସ୍ୱପ୍ନ ଅବଶେଷେ ।

ଯେତେକ ତାରା ହଜିଲେ କାହିଁ

ପଡ଼ିଲେ ଝରି ଅବେଳେ ଯେତେ ଫୁଲ

ସବୁରି ହସ ଆଲୋକ କିବା ନେଇ

ଗୋଟିଏ ତାରା ଆକାଶେ ଝଲମଲ ।

Image

 

ସ୍ମୃତି

 

ମୋତେ ତ ଲାଗୁଛି କିଏ ସତେ ଅବା କରିଛି ବିଚ୍ଛିନ୍ନ

ସେ କେଉଁ ବିଶେଷ ଅଙ୍ଗ ଯା ପାଇଁ ସେ ପୂର୍ଣ୍ଣ ସବୁଜିମା

ହତଶ୍ରୀ ହୋଇଛି ଆଜି ଏ ନିର୍ମମ ଶୀତର ଉତ୍ପାତେ

ସମସ୍ତ ଚେତନା ଲୁପ୍ତ, ହଜିଆସେ କ୍ରମେ ଦୃଷ୍ଟି ସୀମା ।

 

ଚାରିଆଡ଼େ ନୀରବତା, ଯେପରିକି କିଛି ହଜିଅଛି

ଯା ପାଇଁ ଆକାଶ କାନ୍ଦେ, ଗଛରୁ ବି ପତ୍ର ଯାଏ ଝଡ଼ି

ଫୁଲରୁ ଶୁଖିଛି ରଙ୍ଗ ଦିଗେ ଦିଗେ ଅକଥ୍ୟ ଯନ୍ତ୍ରଣା

ଯେ ସ୍ୱର ଯାଉଛି ମରି ଆଉ ତା’ର ଅସ୍ତିତ୍ୱ ପାଏନି ।

 

ତଥାପି ଆଶ୍ୱାସ ଆସେ, ଏଠି ଦିନେ ସବୁଜ ବିସ୍ତାର

ମୋ ଲାଗିତ ହୋଇଥିଲା ବସନ୍ତର ବିପୁଳ ଉତ୍ସବ

କେତୋଟି ମୁହୂର୍ତ୍ତ ପାଇଁ ହୋଇ ମୋର ଏକାନ୍ତ ନିଜର

ସେ ସ୍ମୃତି ସମ୍ୱଳ କରି ଭୁଲେ ଯେତେ ଗ୍ଳାନି ପରାଭବ ।

 

ମୋ’ଠାରୁ ଯା ଗଲା ଦୂରେ ଅବା ଯାହା ରହିଲା ନିଜସ୍ୱ

କିଏ ବେଶୀ ମୂଲ୍ୟବାନ୍‌ ମୁଁ ଜାଣୁନି କିପରି ବା ନିଃସ୍ୱ ।

Image

 

ସ୍ଥିତିର ଏକ ସଜ୍ଞା

 

ଅନେକ ବର୍ଷର କଥା ଆଜି ଏଠି ରୂପ ନେଇ ଆସେ

ଏ ବର୍ଷାର ଜଳକଣା ଧରି ରଖେ ଲୁପ୍ତ ଚେତନାର

କେତେକ ଭଙ୍ଗିଳ ସ୍ମୃତି, ଦେଖାଦେଇ ମୁହୂର୍ତ୍ତକ ପାଇଁ

ଯାହା ପୁଣି ଉପକ୍ରମ କରିବସେ ଆସ୍ତେ ହଜିବାର ।

 

କି ଅସହ୍ୟ ଦୀପ୍ତି ଏଇ ଆଲୋକର ! ମୁଁ ବୁଝି ପାରେନି

ଏ ଖାଲି ଜଳିବା ପାଇଁ ଅଭିପ୍ରେତ ? କାରଣ ଅପ୍ରତ୍ୟାଶିତ

ଜ୍ୱଳନର ଦ୍ୱାହି ଦେଇ ଏ ନିଭୃତ ପରିପାର୍ଶ୍ୱ ମୋର

ତେଜସ୍କ୍ରୀୟ କରିବାର ତେବେ କ’ଣ ଅର୍ଥ କିଛି ନାହିଁ ?

 

ମୁଁ ଗୋଟାଏ ଖିଆଲରେ ଏ ବର୍ଷା, ଏ ଆଲୋକର ମୋହ

ଏତେ ଦିନ ଧରି ରଖି ଆଜି ପୁଣି ପ୍ରଶ୍ନର ଜାଲରେ

ବହୁଭାବେ ବାନ୍ଧି ହୋଇ ମୁକ୍ତି ପାଇଁ ଅଲାଜୁକ ଆଶା

ପୋଷଣ କରିବା କେତେ ମୂର୍ଖାମୀ ଓ ହାସ୍ୟାସ୍ପଦ ସତେ ?

 

ମୋ ସ୍ଥିତି (ସେ ଯାହାହେଉ) ସତ ଯେଣୁ ପୂରାପୂରି ସତ

ତା’ର ଯେତେ ପ୍ରତିକ୍ରିୟା ସେଥିରୁ ବା ନିଷ୍କୃତି କାହିଁକି ?

Image

 

ଆମ ତତ୍ତ୍ୱ

 

କିଛି ଗୋଟେ ହଜିଗଲେ ତାକୁ ପୁଣି ଫେରି ପାଇବାକୁ

ତାକୁ ପୁଣି ଖୋଜି ବସି ଆପଣାର କରି ନେବା ପାଇଁ

ତୁମେ ଏତେ ବ୍ୟସ୍ତ କିଆଁ ? କ୍ଳାନ୍ତ ସେଇ ଆଖିପତା ଧାରେ

ତୁମର ଅଜସ୍ର ଲୁହେ ଏ ତର୍ପଣ କରିବାରେ ନିତି

କୁହ ଦେଖି କିଛି କ’ଣ ନୂତନତା ଅଛି ?

 

ଏ ରାସ୍ତା, ଏ ରାସ୍ତାରେ ଗଛ ଫୁଲ ସାନ ବଡ଼ ଯେତେ ଯେତେ ଘର

ତାକୁତ ଦେଖିଛ ତୁମେ ଏବଂ କିଛି କାରୁଣ୍ୟ ସଂଚାରି

ହୁଏତ ଅବାକ୍‌ ହୋଇ ଥରେ ଥରେ ଚାହିଁ ପାରିଥାଅ

କିମିତି ଏଗୁଡ଼ା ସବୁ ରହିଗଲେ ପୁରୁଷାନୁକ୍ରମେ

ଏ ଦେହରେ ଏତେ ସ୍ମୃତି ଚିହ୍ନା ଏବଂ ଅଚିହ୍ନାର ସ୍ମୃତି

ଏତେ କଥା କିଏ କ’ଣ ମୁରୁଛି ପାରିବ ?

 

ଏ ସବୁ ଦେଖିବା ପରେ ମୁଁ ଭାବୁଛି ଅବା କିଛି ଅଦୃଷ୍ଟ ଚାପରେ

ସାମାଜିକ ସମ୍ପର୍କର ଅର୍ଗଳୀରେ ତୁମେ ବୋଧେ ଅତିଷ୍ଠ ହେଲଣି

ସେଥିରେ ବି ଜହ୍ନ ଉଏଁ (ଯଦିଓ ଆମର ଜହ୍ନ ଏଠି ଏଇ

କଦର୍ଯ୍ୟ ଟୁବାରେ ନିହାତି ବିବ୍ରତ ହୋଇ ଅଭିମାନେ

ଆତ୍ମହତ୍ୟା କରେ ଆକାଶୀ ଜ୍ୟୋତ୍ସ୍ନାର ସୁଅ ଦୂରେ ଆଉ

ଝର୍କା ଦେଇ ଘରେ ଘରେ ଲୋଟିଯାଏ, ସାମୟିକ

ଆଗ୍ରହରେ ମାତିଯାଇ ଅବସନ୍ନ ଘୁମ୍‌ ହୋଇ ଶୁଏ) ।

 

ଚାଲ ଆମେ ଭୁଲିଯିବା ନିଲଠା ସେ ପଛ କଥା ସବୁ

ତୁମେ ଆମେ ଧରି ବସି ଧୋଇମାଜି ତାକୁ ଯେତେ ଚିକ୍‌କଣ କଲେ ବି

ତା’ର କିଛି ମୂଲ୍ୟ ଅଛି ? ବରଂ ଏକ ଅବ୍ୟକ୍ତ ଯନ୍ତ୍ରଣା

(ଯାହା ଆମେ ଇତିପୂର୍ବେ ବହୁବାର ପାଇଛେ ଯଦିଓ)

ପୁଣି ଆସି ଏ ଦେହରେ (ଦେହ ବୋଲି ଅଛି ବା କଅଣ ?)

ବାରମ୍ୱାର ହାତୁଡ଼ି ହାଣିବ ତାହା ଟିକି ଟିକି ବିଦୀର୍ଣ୍ଣ ହବାର

କରୁଣ ବିଷନ୍ନ ଦୃଶ୍ୟେ ସ୍ମୃତି ଆଉ ବିସ୍ମୃତିକୁ ସମ୍ପୂର୍ଣ୍ଣଇ ବିଚ୍ଛିନ୍ନ କରିବ ।

 

ହେଇ ଦେଖ ବେଶ୍‌ ରାତି, ଝଡ଼ ଆଉ ବର୍ଷାହୀନ ରାତି

କିମିତି ନିସ୍ତବ୍ଧ ହୋଇ ସେମାନେ ତ ଶୋଇଗଲେ ଘଣ୍ଟାକ ପୂର୍ବରୁ

ସେମାନେ ବି ଜାଗିଥିଲେ, ଜାଗିରହି ଏଣେତେଣେ

ଶ୍ୱାସରୁଦ୍ଧ ହୋଇବା କେବେ କି

ଘୋଡ଼ା ଦୌଡ଼ କରୁଥିଲେ, ପଡ଼ିଯାଇ ଆତ୍ମାନୁଶୋଚନା କରୁଥିଲେ

ପଛକୁ ଫେରାଇ ଆଖି ହତାଶା ଓ ବ୍ୟର୍ଥତାରେ ଛାତିଫଟା ଗଭୀର ଦୁଃଖରେ

ଉଠିଲେ ପଡ଼ିବେ ପୁଣି କେତେବେଳେ ଓ କାହିଁକି କେଉଁଠି ଓ କିପରି ?

ତା’ର କିଛି ଅର୍ଥନାହିଁ, ତଥ୍ୟ ନାହିଁ ପୂର୍ବାପର କାରଣ ବି ନାହିଁ;

କାରଣ ଏ ଗୁଡ଼ା ସବୁ ଦେଶ କାଳ ପାତ୍ରର ବାହାରେ

ଏଠି ସବୁ ଚେଷ୍ଟା ସତ୍ତ୍ୱେ ଯା’ର କିଛି ବିଶ୍ଳେଷଣ ନାହିଁ,

ସେ ଯେଉଁ ଗଭୀର ଗର୍ତ୍ତ ପଡ଼ିଗଲେ ମୁକ୍ତି ସେଠୁ ନାହିଁ ।

 

ଚାଲ ଆମେ ଭୁଲିଯିବା ଅପାତ୍ରରେ ଦାନ କରି ପ୍ରୀତି ଆଉ ପ୍ରତ୍ୟୟ ଯେତେକ

ପରେ ପରେ ପ୍ରତାରିତ ହେବାର ନିର୍ମମ କାରାରୁ ଏ ଏକ ସାଯୁଜ୍ୟ ମୁକ୍ତି

ଏ ଜାଲକୁ ଛିନ୍ନ କରି ଆସ୍ୱସ୍ତିର ନିଶ୍ୱାସ ମାରିବା ।

 

ଜୀବନର ସବୁ ସତ୍ୟ ଆଲୁଅ ବା ଅନ୍ଧାର ଯା କୁହ

ପ୍ରଣୟ, ପ୍ରତୀକ୍ଷା, ପ୍ରେମ ସତ୍ୟାସତ୍ୟ ଯା’ର ଚିହ୍ନି ହୁଏ

ସୁନାପରି କେବଳ ହିଁ ଅବସ୍ଥାର କଷଟି ଦେହରେ ।

Image

 

ଯିଏ ହାରିଗଲା

 

ଜୀବନ ଯୁଦ୍ଧେ ଯିଏ ହାରି ଗଲା

ସଂଗ୍ରାମ ଗୀତି ଗାଇ ଗାଇ

ଲକ୍ଷ କଷଣ ଲାଞ୍ଛନା ଯିଏ

ହସି ହସି ଖାଲି ବରିନେଲା

ଅନାବିଳ ଆଉ ଅନାଶକ୍ତ ଯେ

ଝଡ଼ରେ ଆହତ ଫୁଲ ପରି

ଅପନ୍ତରା ଏ ସୀମାହୀନ ପଥେ

ସଂକେତ ନୂଆ ଦେଇଗଲା ।।

ପଦଚିହ୍ନ ତା’ ଏଇ ଧୂଳି ଧାରେ

ଅଜ୍ଞାତେ ତା’ର ରହିଗଲା

ସ୍ନେହ ସଂଚିତ ଆଖିର ଆଲୋକେ

ସଂଧ୍ୟା ତାରାରେ ଜାଳିଦେଇ

ସେ ଦେଖୁଛି ଚାହିଁ ଦିଗେ ଦିଗେ ଏଇ

ଅନ୍ଧାର ଯେତେ ଲୁଚିଯାଏ

ସେତେ ଅବା କେଉଁ ଅକୁହା ବେଦନା

ଅଭିମାନେ ବହୁ ଲାଜ ପାଇ ।।

ସେ ସିନା ହାରିଲା କପଟ ଯୁଦ୍ଧେ

ତା’କାହାଣୀ ନୁହେଁ ହଜିବାର

ଜୀବନର ଇତିହାସରେ ତାହାରି

ଅକ୍ଷର ଚିର ଅବଦାନ

ମଉଳା ଫୁଲରୁ ପରାଗ ଲୁଟିବ

ଲାଗିବ ଏ ଖେଳ ଯେତେଦିନ

ସେଇ ଯେ କାହାଣୀ ପୁରୁଣା ହେବନି

ବ୍ୟର୍ଥ ହେବନି ସତ୍ୟ ସାହସ

ସଂଗ୍ରାମ ପାଇଁ ଯେତେକ ଧୈର୍ଯ୍ୟ

ଦୁଃଖ ଯାତନା ଅସୁମାର ।।

ଯୁଗ ଯୁଗ ଧରି ଅମା ଅନ୍ଧାରେ

ଝଂଜା ବତାସ ବହିଯିବ

ସାଗର ବୁକୁରେ ଲହରି ଘୋଷିବ

ସତ୍ୟର ଜୟ ଚିରଦିନ ।।

Image

 

ଅଭିବ୍ୟକ୍ତି

 

ଯେତେ ଅଶ୍ରୁ ଝରିଗଲା କ୍ଳାନ୍ତ ଆଖି ପତା ଧାରେ ଧାରେ

ସ୍ୱପ୍ନ ଯେତେ ମିଶିଗଲା ନୀଳାକାଶ ବିସ୍ତୀର୍ଣ୍ଣ ଛାତିରେ

ଭାସମାନ ମେଘ ଭଳି ବ୍ୟଥାହତ ଆଜିର ରାତିରେ

କାମନା ଓ ସ୍ମୃତି ଗୋଳି କେଉଁ ଏକ ଆଶ୍ଚର୍ଯ୍ୟ ତୁଳିରେ ।

ଶିଳ୍ପୀ ତୁମେ ସୃଷ୍ଟି କର ରେଖାଚିତ୍ର ଅଦ୍‌ଭୁତ ଖିଆଲେ

ମନର ନିଭୃତ କକ୍ଷେ ବସିରହି ବିନିଦ୍ର ପ୍ରହରେ

ଅସଂଖ୍ୟ ତାରାର ଫୁଲ ମାଳା ଗୁନ୍ଥି ଚିତ୍ରପଟେ ଜହ୍ନକୁ ସଜାଇ

କେତୋଟି ମୁହୂର୍ତ୍ତ ପାଇଁ ଭରିଦେଇ ମହାର୍ଘ ଓ ନିରୁକ୍ତ ମମତା–

କେଉଁ ଦୂର ଅରଣ୍ୟର ଆ-ଦିଗନ୍ତ ବ୍ୟାପ୍ତ ସମୁଦ୍ରର

ଉଜ୍ଜୀବିତ କର ପୁଣି ସ୍ୱପ୍ନାବିଷ୍ଟ ସମସ୍ତ ଚେତନା

ଉଷର ଭୂଇଁରେ ଆଣି ସବୁଜିମା ନୂତନ ଫସଲ

ପଥରୋଧ କରି ବସ ବେଗବାନ୍‌ ଦ୍ରୁତ ସମୟର ।

ଜହ୍ନ ଯଦି ଆକାଶର, ବାମନର ଆସ୍ଫାଳନ କିଆଁ ?

ବୃଥା ସିନା ଅନ୍ୱେଷଣ ପରିମିତ ସୀମିତ ଶକ୍ତିର

ବିକ୍ଷୁବ୍ଧ ଏ ସମୁଦ୍ରର ଚଳମାନ ସହସ୍ର ତରଙ୍ଗେ

ମତ୍ସ୍ୟ କନ୍ୟା ସଙ୍ଗୀତର ମନ୍ତ୍ରମୁଗ୍‌ଧ ଧ୍ୱନିତ ଝଙ୍କାର ।

ବରଂ ଏଇ ବ୍ୟସ୍ତତାର ମୁହୂର୍ତ୍ତର ଅସୁସ୍ଥ ଆଶକ୍ତି

ଶେଷ ହେଉ, ଆକାଶର ନୀରବତା ଝୁରୁ ଗୋ ଏଠାରେ ।

Image

 

ଗଙ୍ଗାଧର ମେହେର

 

ସବୁ ହାତ-ପାଆନ୍ତାରେ ଭାବି ଯିଏ ରହନ୍ତି ନିଶ୍ଚିତ

ସେମାନଙ୍କ ଯନ୍ତ୍ରଣାରେ ଜର୍ଜରିତ ସ୍ଥିତିର ସ୍ୱରୂପ

ମୁଁ ଦେଖିଛି କେତେବାର ମୁଁ ଦେଖିଛି ରହି ନିର୍ବିକାର

ନିସ୍‌ପେଷିତ ଚେତନାରେ ପରିଣତି ଚେନାଏ ଆଶାର ।

ଏ ଜୀବନ ଆପେକ୍ଷିକ; ଯାହା ତାକୁ ମୃତ୍ୟୁରୁ ପୃଥକ

କରିବାର ଶକ୍ତିନେଇ ସବୁକିଛି ଅର୍ଥବାନ କରେ

ସେ ଖାଲି ଅଭିପ୍‌ସା ନୁହେଁ, ଶ୍ୱେଦସିକ୍ତ ସାଧନାର ସିଦ୍ଧି

ଆତ୍ମ-ପ୍ରତ୍ୟୟର ସହ ଅନ୍ଧକାରେ ଉଦ୍‌ଭାସିତ ହୁଏ ।

ସେତେବେଳେ ମୃତ୍ୟୁ ପାଇଁ ଲୋଡ଼ାହୁଏ କବର ଗୋଟାଏ

ନିଜେ ମାନି ପରାଭବ ମୃତ୍ୟୁ ଯେବେ ଆତ୍ମହତ୍ୟା କରେ

ଏ ଜୀବନ ଜ୍ୱଳାନ୍ୱୀତ ମନେହେବ ଅତି ଭୟଙ୍କର

ସମ୍ମୁଖେ ଆସିବା ଖାଲି ଆସ୍ଫାଳନ ହୀନ ପ୍ରଚେଷ୍ଟାର ।

ସଂଘର୍ଷରେ ଭରି ଦେଇ ସଂଗୀତର ସ୍ୱର ଓ ସଂକେତ

ତୁମେ ବୁଝିଥିଲ ହୁଏ ଜୀବନକୁ ଫଳପ୍ରସୂ କରି

ତୁମେ ବୋଧେ ଜାଣିଥିଲ ଏ ମଣିଷ ଭାଗ୍ୟ ଲିପି ତା’ର

ନିଜେହିଁ ପାରଇ ଲେଖି ନିଜେ ଜନ୍ମ ମୃତ୍ୟୁର କାରଣ ।

ମୃତ୍ୟୁ ସହ ଆମେ ଯିଏ ଅବିଶ୍ରାନ୍ତ ସଂଗ୍ରାମରେ ରତ

ତୁମେ ତେଣୁ ଗଙ୍ଗାଧର ପୁଣ୍ୟଶ୍ଳୋକ ସକାଳ ସଂଧ୍ୟାରେ ।

Image

 

ଶ୍ରୂୟତାମ୍‌

 

ଶୀତାର୍ତ୍ତ ଏ ମୁହୂର୍ତ୍ତରେ ନିସ୍ପନ୍ଦ ଏ କୋଠରୀରେ ବସି

ମୁଁ ଦେଖୁଛି ଧୂଆଁଳିଆ ବଉଦର ଶୋଭାଯାତ୍ରା ଚାଲେ

ଆକାଶର ରାଜପଥେ କେତେ ଦୂର ଯୋଜନ ଯୋଜନ

ସବୁ ଖାଲି ଚୁପ୍‌ଚାପ୍‌ ଏକ ପଛେ ଅନେକ ଅନେକ ।

 

ମୁହଁରୁ ମରିଛି ଭାଷା ଓଠ ତଳେ ହସର ସମାଧି

କଳା କଳା ମଣିଷର ଶବାଧାର ସହଯାତ୍ରା ପରି

ସବୁ ଖାଲି ବିପର୍ଯ୍ୟସ୍ତ, ବିଶୃଙ୍ଖଳ, ଉଦାସ କରୁଣ ।

ଏତେବେଳେ ଖେଳିବୁଲେ ପବନରେ କେତେ କେତେ ସ୍ମୃତି ।

 

ଭାବନାରେ ସୀମା ଟପି ତୁଚ୍ଛ କରି ଏ ଆଶ୍ୱାସ ଆସକ୍ତି ଯେତେକ

ଭୁଲି ଯେତେ ମନସ୍ତାପ ରୋଗ ଶୋକ ଅଭାବର ଜାଳା

ଆଗରେ ଜାଣିନି ଯାହା, ପାଦଚିହ୍ନ ପଡ଼ିନାହିଁ ମୋର

ସବୁକୁ ଦୂରରେ ରଖି ଫେରିଚାହେଁ ପଛକୁ ଯେଉଁଠି

ଅର୍ଥହୀନ ବକ୍ତୃତା ଓ ବ୍ୟସ୍ତତାରୁ ନିଜକୁ ବଞ୍ଚାଇ

ସ୍ୱଚ୍ଛନ୍ଦ ପ୍ରବାହେ ଏକ ମିଳିଥିଲେ କେତୋଟି ମୁହୂର୍ତ୍ତ

ଏକାନ୍ତ ନିଜର କରି ପରସ୍ପର ଆତ୍ମାର ସଙ୍ଗୀତେ

ହଜିବାର ଗଉରବେ ହୁଏତ ବି କରିଥିଲେ ଗର୍ବ ।

 

ସେ କେବେତ ମିଛ ନୁହେଁ; ଯେମିତି ଏ ଫଳିତ ଜ୍ୟୋତିଷ

ପ୍ରଶ୍ନ ଗଣା, ରେଖା କଟା, ସାଧକର ଭବିଷ୍ୟତ ବାଣୀ

ମିଛ ହେଲା, ଯେମିତି ସେ ଦୀପ ଶିଖା କ୍ଷୀଣ ଅତି ଜ୍ୱଳନର ତୀବ୍ର ଅହଙ୍କାର

ବ୍ୟର୍ଥ ହେଲା । ରଜନୀଗନ୍ଧାରୁ ଗଲା ବାସ୍ନା ଝରି, ଓଠରେ ତୁମର

ନିସ୍‌କରୁଣ ଶୀତ ଋତୁ ଅସହିଷ୍ଣୁ ଦାଉ ଗଲା ସାଧି;

ମୁଁ ଯେବେ ଗୋ ଖୋଜୁଥିଲି ତୁମକୁ ଏ ସହରର ଗଳିକନ୍ଦି ବୁଲି

ପ୍ରେକ୍ଷାଗୃହେ ଅବା କେବେ କାଠଯୋଡ଼ୀ, ମହାନଦୀ କୂଳେ

ବିଧୂର ବଂଶୀର ତାନେ ଭରିଦେଇ ଏ’ ପ୍ରାଣର ଯେତେ ଆଶା, ଯେତେକ ପ୍ରତୀକ୍ଷା

 

ନମାନି ବରଷା ଝଡ଼ ଶୀତ ଖରା ନିଝୁମ ଅନ୍ଧାର

ନିସ୍ତବ୍‌ଧ ପ୍ରହରେ ଜାଗି ତୋଳୁଥିଲି ଧ୍ୱନିତ ଝଙ୍କାର

ସେ ଯଦି ଗୋ ସତ ହୁଏ ନିବେଦନ ଆମରି ଆତ୍ମାର

ଆକୁଳ ପ୍ରତୀକ୍ଷା ଯେତେ ନିଛାଟିଆ ସ୍ତବ୍‌ଧ ଦ୍ୱିପ୍ରହରେ

ଅଥବା ସନ୍ଧ୍ୟାର ଯେତେ ନିର୍ବିକାର ଅଶ୍ରୁଳ ଉଦ୍‌ବେଗ

କେତେ ଦିନ ମାସ ବର୍ଷ ଆଜି ଯାହା ଜାଣି ହୁଏ ନାହିଁ ।

 

ଅପନ୍ତରା ସମୟର ଅନ୍ତରାଳେ, ସୀମାହୀନ ବାଲି ଶେଯପରେ

ଆମର ସାକ୍ଷାତ୍‌ ହେବ ପୁନର୍ବାର ବହୁବର୍ଷ ପରେ

ଅଖ୍ୟାତ ଦ୍ୱୀପର ଏକ ଉପାନ୍ତରେ ହଠାତ୍‌ ନିଶ୍ଚୟ

ତୁମେ ଗୋ ଆସିବ ପୁଣି ପାରିହୋଇ ଝଡ଼ରାତି

ପାରିହୋଇ କରାଳ ଫେନିଳ ସେହି ସମୁଦ୍ରର ଅନନ୍ତ ବିସ୍ତୃତି ।

Image

 

ଏକ ନବଜାତକ ପାଇଁ

 

ଆଜି ଏ ଶରତର ଶାନ୍ତ ଲଗନରେ

ହସୁଛି ଦଶଦିଗ ହସୁଛି ଧରାରାଣୀ

ଶୁଷ୍‌କ ପାଷାଣ ବି ସପନ ବୋଳିଦେଇ

କି ମହା ଆବେଗରେ ଉଠୁଛି ରଣରଣି ।

ଏ ମହା ପାର୍ବଣେ ଜଗତ ଜନନୀ ଯେ

ଧରାରେ ଉପଗତ ହସର ଆସରରେ

ଶ୍ୟାମଳ ସୁଷମାରେ କାନ୍ତ ବିଲ ବନ ।

କୁମୁଦ ହସି ଚାହେଁ ଚାନ୍ଦ ଲପନରେ ।

ଅକବି ମନେ ଆଜି କବିତା ଆସେ ଏଇ

ଜୀବନ ସଂଗ୍ରାମେ ଯିଏ ବି ଆତଯାତ

ଅସରା ଆଖିଲୁହେ ସକଳ ତିଆଗି ଯେ

ସେନେହ ମମତାରୁ ଯେ ଚିର ବଞ୍ଚିତ ।

ଧୂସର ଅତୀତ ଯା ଯାଇଛି ଜଳିପୋଡ଼ି

ପିଆଲା ଭରା ଚାହା ବାଷ୍ଫ ସମ ଥରି

ରୁଦ୍ଧ ଆବେଗରେ ମୂକ ଓ ନିର୍ବାକ

ସେ ପୁଣି ହସି ଉଠେ କଣ୍ଠେ ଭାଷା ଭରି ।

ତାହାରି କୁଆଁରବେ ସରଳ ଯେଉଁ ଶିଶୁ

ଆଦିମ ସଙ୍ଗୀତେ ଉଠିଛି ଘର ପୂରି

ଜନକ ଜନନୀର ଆଶାର ଶଶୀ ସେ କି

ଆସିଛି ଘନକଳା ବଉଦ ଚିରି ଚିରି ।

ଆସିଛି ସେଇ ଶିଶୁ ତ୍ରସ୍ତ ଧରଣୀରେ

ଶାନ୍ତି ମୈତ୍ରୀର ପରମ ଅବତାର

“ସ୍ୱାର୍ଥ ବିହୀନ ଯେ ସେନେହ ମମତାରେ

ସ୍ୱର୍ଗ ହୁଏ ଧରା’’ ଏ ତା’ର ସମାଚାର ।

ସରଳ ଶିଶୁ ହସେ ଯେ କେବେ ହସେ ନାହିଁ

କୁଟିଳ ତର୍କେ ଯେ ବିତାଏ ନିଶି ଦିନ

ସେ କାହୁଁ ବୁଝିବରେ ଦି’ ଦିନ ଧରାତଳେ

ଭାନ୍ତି ଖାଲି ସବୁ ଗର୍ବ, ଅଭିମାନ ।

ଭ୍ରାନ୍ତ ଏ ମଣିଷ ସ୍ୱାର୍ଥ ବଳିଦେଲେ

ସରଳ ଅକପଟ ହେଲେ ସେ ଶିଶୁପରି

ଉଷର ମରୁପଥେ ଫୁଟିବ ଶତଦଳ ।

ଏ ମର ସଂସାରେ ଦେବତା ଅବତରି ।

ମୁଁ ଦୂର ପଥଚାରୀ ଏ ଶୁଭ ନିମିଷରେ

ଶୂନ୍ୟ ମୋର ହାତ ନଷ୍ଟନୀଡ଼ ପକ୍ଷୀ

କି ଦେବି ଉପହାର ହେ ମୋର ପ୍ରିୟ ଶିଶୁ

ରହିଛି ବଡ଼ ଆଶା ଦେଖିବି ବୋଲି ଥରେ ।

କେବଳ ଦୂରଦେଶେ ବେଦନା ଜରଜର

ଆଶୀଷ ଢାଳେ ସିନା ତୋହରି ମଥାପରେ

ବିଭୁର ପଦ ତଳେ ପ୍ରଣତି ଜଣାଉଛି

ତୁ ହେବୁ ସୁ-ମହାନ୍‌ ବିପୁଳ ଜୀବନରେ ।

ଆଶା ଓ ଆଲୋକର ଅଗ୍ରଦୂତ ତୁହି

ତୋହରି ଆଗମନେ ଆମରି ପରିବାର

ଧନ୍ୟ ହେଉ ଆଜି ସବୁରି ପରାଣରୁ

ଲୁପ୍ତ ହୋଇଯାଉ ଅମାର ଅନ୍ଧାର ।

Image

 

ତୁମେ ଯିଏ ବରିଲ ସମାଧି

 

ଶୀତ ବରଫର ତଳେ ତୁମେ ଯିଏ ବରିଲ ସମାଧି

ପ୍ରିୟ ମୋର ସାଥି !

ତୁମରି ନିଃଶ୍ୱାସେ ଆଜି ଶେଷ ହୋଇ ଆସେ ଅମାରାତି ।

 

ଶେଷ ହୁଏ କାଳ-ନିଦ୍ରା, ଏ ଜାତିର ନିଶ୍ଚିତ ସପନ

ପ୍ରତିଟି ମରମ ତଳେ ଜାଗିଉଠେ ଏ ଯେଉଁ ସ୍ପନ୍ଦନ,

ତାକୁ କେ ପାରିବ ରୋକି, ହିମାଳୟୁ କୁମାରିକା ଯାଏ

ଆଜି ଯେ ବିସ୍ତାର ତା’ର ଦିଗେ ଦିଗେ ମହା ସମାରୋହେ ।

 

ତୁମରି ଉଦ୍ଦେଶ୍ୟେ ଢାଳେ ଦେଶ ତାର ଶୁଭେଚ୍ଛାର ଧାର

ତୁମରି ଆହ୍ୱାନେ ହୁଏ ପ୍ରକମ୍ପିତ ପ୍ରାସାଦ କୁଟୀର ।

ଏତେ ଦିନ ଧରି ଆମେ ଯିଏ ଥିଲୁ ପୂଜାରୀ ସତ୍ୟର

ଦେଶେ ଦେଶେ କରିଥିଲୁ ଶାନ୍ତି ଆଉ ମୈତ୍ରୀର ପ୍ରସାର ।

 

ଆଜି ଆମେ ବିପର୍ଯ୍ୟସ୍ତ, ସ୍ୱାଧୀନତା ବିପନ୍ନ ଆମରି

ଶୁଭ୍ର ବରଫର ପରେ ଖେଳିଯାଏ ରକ୍ତର ଲହରି ।

ସେଇ ଶୋଣିତର ସୁଏ କୋଟି କୋଟି ପ୍ରାଣର ଭରସା

ବୁଦ୍‌ବୁଦ୍‌ ସମାନ ଉଠେ, ଭାସେ କେତେ ଅନାଗତ ଆଶା ।

 

ସବୁର ତୁମେ ଯେ ସାଥି, ମୃତ୍ୟୁଞ୍ଜୟୀ ଅନନ୍ତ କାଳର

ତୁମେ ତ ଯାଇଛ କହି ଆମେ ନୋହୁ ଭୀରୁ ଓ ଦୁର୍ବଳ

କେତେଶ’ ବରଶ ତଳେ ଯିଏ ଦେଇ ସଂଘ ଓ ଶରଣ

ମୁକ୍ତି ଓ ନିର୍ବାଣ ମନ୍ତ୍ରେ ଭରି ଦେଇ ଗଗନ, ପବନ

 

ଅଜ୍ଞାନ –ଅନ୍ଧାର କାଟି ଆଣିଥିଲା ଆଲୋକର ଦ୍ୟୁତି

ରକ୍ତର ଆହ୍ୱାନେ ସେ ବି ଦେଇପାରେ ରକ୍ତର ଆହୁତି ।

ତୁମର କାହିଁଯେ ମୃତ୍ୟୁ ? ମୃତ୍ୟୁ ଆଜି ମାନେ ପରାଜୟ

ତୁମରି ସମାଧି ପରେ ନ୍ୟାୟ ଏବଂ ଧର୍ମର ବିଜୟ ।

 

ବସନ୍ତ ଆସିବ ଯେବେ ଧରି ଫଳ, ଫୁଲର ସମ୍ଭାର

ତୁମରି ସମାଧି ପୀଠେ ଭରିଦେବ ପ୍ରୀତି ଉପହାର ।

କାକ-ମୁକୁତା ଝରା ପ୍ରତ୍ୟେକଟି ଅଣୁ ସେ ମାଟି

ତୁମରି ପ୍ରାଣର ଗନ୍ଧେ ଉଚ୍ଚକିତେ ହେବ ଭରପୂର ।

Image

 

ଏକ ଯୁକ୍ତି ସପକ୍ଷରେ

 

ହୁଏତ ମୁଁ ଭୁଲିଥିବି ଘଟଣାର ଓ ଘଟଣା ପୁନରାବୃତ୍ତିକି

ସେ ସବୁତ ଠିକ୍‌ ଥିଲା ପ୍ରିୟ ମୋର ହେ ମଣିଷ ମାନେ

ନିଜକୁ ବିଭକ୍ତ କରି ରଖିବାର ନିର୍ଘାତ ଯନ୍ତ୍ରଣା ଅପେକ୍ଷା

ନୁହେଁ କି ଭଲ ଆଉ ଏକ ନିର୍ଲିପ୍ତ ଅବସ୍ଥା ?

 

ଯେହେତୁ ଏ ଜନ୍ମ ପରେ ପୁନର୍ଜନ୍ମ ସଂଭବ କି ନା

ମୁଁ ଜମା ନଥିଲି ଭାବି, ପ୍ରତ୍ୟାଶା ଓ ପ୍ରତ୍ୟୟକୁ ନେଇ

ମୁଁ କେବେ ନଥିଲି ଗଢ଼ି ଯତ୍ନେ ମୋର ସ୍ୱପ୍ନର କୋଣାର୍କ

ଅତୀତ ଓ ବର୍ତ୍ତମାନ କରିବାକୁ ଅଦ୍‌ଭୁତ ସାଲିସ୍‌ ।

 

ସମୟର ସିକତାରେ ଗଢ଼ିଛି ମୁଁ ଅନେକ ବାଲୁଙ୍କା

ତୃଷାର୍ତ୍ତ ସମୁଦ୍ର ଯାହା ଆସି ପରେ ଯାଇଅଛି ଚାଟି

ମୁଁ କେତେ ଗାଇଛି ଗୀତ ଦିଗେ ଦିଗେ ସେ ଯାଇଛି ଭାସି

କେବେତ କରିନି ଚେଷ୍ଟା ଧରିବାକୁ ସେ ସ୍ୱର ଲହର ।

 

ଯେହେତୁ ମୁଁ କୃତକର୍ମ ପରିଣତି–ସଚେତନ ନୁହେଁ

ପ୍ରେମ ପରେ ପ୍ରତାରଣା, ବିସ୍ମୃତିର କଥା ମୁଁ ଭାବିନି

ପ୍ରାଣର ପ୍ରକାଶ ଯାହା, ଅନୁନୟ ଏ ମୋର ଆତ୍ମାର

କେବଳ ତାକୁଇ ନେଇ ଜୀବନର ସ୍ଥିତିକି ଦେଖିଛି ।

 

ଏ ଜୀବନ କ୍ଷଣସ୍ଥାୟୀ, ପଦ୍ମପତ୍ରସ୍ଥିତ ଜଳକଣା

ସମ୍ଭବତଃ ହୋଇପାରେ ସମ୍ଭବତଃ ଏକଇ ବୁଦ୍‌ବୁଦ୍‌

ସୃଷ୍ଟି ଓ ବିଲୟ ଯାର ଆକସ୍ମିକ, ନିହାତି ଅବୋଧ୍ୟ

ମୁଁ କିଛି ଭାବିନି ଥରେ, ବିଶ୍ଳେଶଷ, ସଜ୍ଞା ତା ଖୋଜିନି ।

 

ଆଜି ଯେବେ ଜୀବନରେ ସବୁ କିଛି ଅର୍ଥ ବଦଳୁଛି

ଆଜି ଯେବେ ପୁରାତନ, ପ୍ରାକ୍ତନର ଅସ୍ଥି ମାଂସ ପରେ

ନୂତନର ଭ୍ରାନ୍ତି କରେ ସମ୍ମୋହିତ ନିଖିଳ ସୃଷ୍ଟିକି

ମୁଁ କ’ଣ କରିବି କୁହ ? କିଏ ଅଛ ? କେଉଁଠି କେଉଁଠି ?

 

ମୁଁ କ’ଣ କହିବି ନୁହେଁ ମୁହୂର୍ତ୍ତର ସ୍ଥିତିରେ ଜୀବନ

ଏଠି ଖାଲି ନିଆଁ ନିଆଁ ସବୁ ମହାଜ୍ୱଳନ ପ୍ରକ୍ରିୟା

ବିକଟ ମୃତ୍ୟୁର ଭୟ, ସର୍ବଗ୍ରାସୀ ସମୁଦ୍ରର ଭୟ

ନଷ୍ଟ ଯାହା କରିଦିଏ ମଣିଷର ନିଶ୍ଚିତ ଆଶ୍ରୟ ।

 

ତୁମେ ଆଜି ଯିଏ କର ମୋ ଜୀବନ ମାନ ନିରୂପଣ

ତୁମେ ଯିଏ ଠିକ୍‌ ଭାବ ପ୍ରେମ ପରେ ପ୍ରତାରଣା ପାଇଁ

ମନସ୍ତାପ, ତଜ୍ଜନିତ ଗ୍ଳାନି ଠିକ୍‌ ମଣିଷପଣିଆ

ତୁମେ କ’ଣ ଖୋଜିବସ ମଣିଷକୁ ମୋ ଭିତରେ, ମୃତ୍ୟୁର ଉତ୍ତାରେ ?

 

ମୋତେ ତୁମେ କ୍ଷମା କର କ୍ଷମା ! ଦିଅ ବଞ୍ଚିବାର ପାଇଁ

ପୃଥିବୀରେ ଅଧିକାର ଜନ୍ମ ଆଉ ମୃତ୍ୟୁର ରହସ୍ୟ

ଜୀବନରେ ବୁଝିବାକୁ, ମୋତେ ଦିଅ କିଛି ଗୋପନତା

ଜାଗତିକ ଭୟ ଆଉ ଭ୍ରାନ୍ତିଠାରୁ ସ୍ୱୀକୃତ ନିସ୍‌କୃତି ।

Image

 

ଗତି

 

ମୁଁ ଚାଲିଛି,

ଆଗରେ ମୋର ସବୁକୁ ଅସ୍ୱୀକାର କରି

ଅମାନିଆ ଅତୀତଟା ପରିବ୍ୟାପ୍ତ;

ପିଲାଦିନେ ବାପା କହିଥିବା ଯେମିତି ଏକ ବ୍ରହ୍ମରାକ୍ଷସ

ରାସ୍ତା ପାଖରେ ଏକ ଶିମିଳି ଗଛରୁ

ଅପର ପାର୍ଶ୍ୱର, ଖୁବ୍‌ ଦୂରରେ

ଏକ ଅଶ୍ୱତ୍‌ଥ ଗଛର ଶାଖା ଛୁଇଁ

ତା’ର ଲମ୍ବା ଲମ୍ବା ପାଦକୁ ବଢ଼ାଏ ।

 

ସ୍ମୃତି ଆଉ ବିସ୍ମୃତିର ପରିମିତ ଛାଇ ଆଲୁଅରେ

ଏମିତି ଚାଲିଛି ଏକା

ଯେପରି ନାବିକ ଏକ ଅବସନ୍ନ ବିଶ୍ରାନ୍ତ ମନରେ

ଧରି ରଖି ଚାଲିଥାଏ ନୀଳ ଜଳ ମାଇଲ ମାଇଲ

ଛାୟାସ୍ନି‌ଗ୍‌ଧ ସମ୍ମୋହିତ ମାୟା କେଉଁ ଅରଣ୍ୟ ଦ୍ୱୀପର

ଯାହାର ଆଘ୍ରାଣେ ହୁଏ ଉଜ୍ଜୀବିତ

 

ପ୍ରତି ଶିରା, ପ୍ରତିଟି ଧମନୀ

ଯାହା ପୁଣି ନୂଆ ଏକ ଅନାଗତ ସ୍ୱପ୍ନର ନିଶାରେ

ପ୍ରତ୍ୟେକଟି ମୁହୂର୍ତ୍ତର ଉଦ୍ୟମକୁ ଅର୍ଥବାନ କରେ

ମୋର ଅତୀତ-ସଚେତନତାର ମୂର୍ତ୍ତିମନ୍ତ ସ୍ଥିତିରେ

ବର୍ତ୍ତମାନ ଓ ଭବିଷ୍ୟତର ଏକ ସ୍ମାରକୀ-ଅନେକ–ସଂଭାବନା

Image

 

କାମନା

 

ମୋତେ ହେଲେ ଦେଇଥାନ୍ତେ ସାନ ସାନ ଦୁଇଗୋଟି ଡେଣା

ନୀଳ ନୀଳ ଆକାଶରେ କରିଥାନ୍ତ ଉଡ଼ନ୍ତା ଚଡ଼େଇ

ପବନରେ ଦୋଳମାନ କାଠି ଆଉ କୁଟାର ବସାରୁ

ଗଛର ଶାଗୁଆ ପତ୍ର ଗହଳକୁ ଛୁଇଁ

ବାହାରି ଆସିଲା ବେଳେ ଘୂରିବାକୁ ପୃଥିବୀ-ପ୍ରଗଣା ।

ଅଶ୍ଚର୍ଯ୍ୟ ରଙ୍ଗିନ ଖରା ଅଧ୍ୟୁସିତ ସ୍ୱପ୍ନିଳ ପ୍ରାନ୍ତରେ

ଅଥବା ସାଗର-ସିକ୍ତ ଅନାସକ୍ତ ବାଲୁକା ଶଯ୍ୟାରେ

କଳ କଳ ନଦୀଟିର ଲୀଳାୟିତ ଦେହର ଉର୍ଦ୍ଧରେ

ଉଡ଼ିବୁଲି ଗାଇବାକୁ ସୂର୍ଯ୍ୟର ବନ୍ଦନା

ମୋତେ ହେଲେ ଦେଇଥାନ୍ତ ଦୁଇଗୋଟି ଡେଣା ।

ମଣିଷ ଯଦିବା ହେଲି ପରିମିତ, ସୀମିତ ଶକ୍ତିରେ

ଚେତନାର ଦର୍ପଣରେ ସବୁକୁ ଦେଖିବା ପାଇଁ

ଦୃଶ୍ୟ ଓ ଅଦୃଶ୍ୟ ଯେତେ ସ୍ୱତଃସ୍ଫୁର୍ତ୍ତ ଅଜସ୍ର ଅଭିପ୍‌ସା

ମୋ ପ୍ରାଣରେ ଭରିଦିଅ ପୃଥିବୀର ଜିଜ୍ଞାସୁ ପିପାସା,

ଦିଅ ଏକ ନିର୍ଭିକ ଓ ନିର୍ଲିପ୍ତ-ମାନସ

ଯୁଗାନ୍ତର ମାର୍ଜିତ ବିଶ୍ୱାସ ।

Image

 

ଏକ ସାକ୍ଷାତ

 

ସେଠାକୁ ଯିବାର ଆଗୁଁ ମନେ ଭାବିଥିଲି

ହେଲାଣି ତ କେତେ ବର୍ଷ; ଯାଇଥିବ ଭୁଲି ।

ଆଶ୍ଚର୍ଯ୍ୟ ଏ ସହରର ସହାନୁଭୂତିରେ

ଅନ୍ଧ ହୋଇ ଆସିଥିବେ କିଏ କେତେ ତୁମରି ଦୁଆରେ

ଦୂରନ୍ତ ଗାଆଁର ତୁମ ପ୍ରତିବେଶୀ, ପରିଚିତ ଜନ

ଧରିଅବା ପ୍ରୀତି ପୂତ ମନ

ହସନ୍ତ ଆଗ୍ରହ ନେଇ

କରିବାକୁ ରୂପର ଦର୍ଶନ ।

ତୁମେ ଅବା ଉଡ଼ିଥିବ ଉର୍ଦ୍ଧେ ଉର୍ଦ୍ଧେ

ସଂଚରିତ ହାଓ୍ୱାର ଲହରେ

ତୁମ ମୁଖୁଁ ଝରିଥିବ କଥା କେତେ, ଉପକଥା

ରାକାରାତି ଚମକାଇ ତାରା ଓ ଜହ୍ନର କଥା

ସ୍ୱପ୍ନାବିଷ୍ଟ ପରୀ ରାଇଜର ।

ମୁଁ ହୁଏତ ଭାବିଥିଲି

ସ୍ମୃତି କାହିଁ ଯାଇଥିବ ହଜି–

ବିସ୍ମୃତିର ବିସ୍ତୃତିର ଆ-ଦିଗନ୍ତ ଭରା ଶୂନ୍ୟତାରେ ।

ଅବଶ ଆଖିରେ ତୁମ ଯେତେବେଳେ ଝଲମଲ ହେଲା

ବିଦ୍ୟୁତ ଚମକ

(ଧୂସର ବାଲୁକା ସ୍ତୁପ ଅନ୍ତରାଳୁଁ

ଯେମିତିକି ଆବିଷ୍କୃତ ଭାସ୍କର୍ଯ୍ୟର ଚରମ ଉତ୍‌କର୍ଷ

ଉତ୍‌ଥିତ ହୁଅଇ ଏକ ମନ୍ଦିରର ଗାତ୍ର)

ମୁଁ ଦେଖିଲି ସେ ଆଲୋକେ

ଅନ୍ତର୍ହିତ ହୋଇଯାଏ କାହିଁ

ମାସ ଓ ବର୍ଷର ସ୍ତୂପୀକୃତ ଅନ୍ଧକାର ଢେଉ

ହଠାତ୍‌ ଫଳିତ ସେଠି ଆଶା ଓ ହତାଶା ଯେତେ

ମୋ ମନର କ୍ଳାନ୍ତି ଓ କାମନା

କଥାର କଳଗୁଂଜନ ନିଃଶେଷିତ ହୋଇଯାଏ କ୍ରମେ

ପରିପୂର୍ଣ୍ଣ, ସମାହିତ ସେ ନୀରବତାରେ ।

Image

 

ମୌସୁମୀର ଭିଡ଼େ

 

ଆଜି ଏଠି ମୌସୁମୀର ଭିଡ଼େ

ବର୍ଷା-ଝରା ଏ ରାତିରେ

ସହରଟା ଏକା ଏକା ଲାଗେ ।

ଜନଶୂନ୍ୟ ଦିଗ ଦିଗ;

କେଉଁ ଏକ ଅବୁଝା ସଂଗୀତ

ମୋ ପାଖେ ଆସଇ ଏଇ

ଘନାୟିତ ଅନ୍ଧକାର ଛୁଇଁ ।

 

ମୁଁ ତେବେ ଆଗକୁ ଯିବି ?

କେଉଁଠାକୁ ? ରାସ୍ତା କେଉଁଠାରେ ?

ମୁଁ କ’ଣ ଆଗକୁ ଯିବି

ଯେଉଁଠାରେ ଏ ବର୍ଷାରେ ପୁଲକିତ କୁନ୍ତଳର ଗନ୍ଧ

ଅଥବା ଯେଉଁଠି ଶୁଭେ

ଉଚ୍ଚକିତ ସେ ଗୀତର ଛନ୍ଦ

ଯେଉଁଠି କଦମ ବନେ ଶହରିତ ନୂତନ ରୋମାଞ୍ଚ

 

ଆକାଶ ଆସଇ ମିଶି କଳ କଳ ଯମୁନାର ଜଳେ

ଯେଉଁଠି ଜୀବନ ଡାକେ ଏ ଯୁଗର ନୂତନ ବଂଶୀରେ ?

ମୁଁ କ’ଣ ଆଗକୁ ଯିବି ଅସହାୟ ସହରର ଗଳି କନ୍ଦି ଡେଇଁ

ଏ ବର୍ଷାରେ ଭିଜି ଭିଜି କେଉଁଠାକୁ ? ରାସ୍ତା କେଉଁଠାରେ ?

Image

 

ସଂବିତ୍‌

 

ଏମିତି ବର୍ଷାର ଦିନେ

ସଦ୍ୟସ୍ନାତ ଅପରାହ୍ନ ଏକ

ଆଶ୍ଚର୍ଯ୍ୟ ରଂଗୀନ ଖରା ସ୍ପର୍ଶେ ଯଦି ପ୍ରଜ୍ଜ୍ୱଳିତ ହୁଏ

ଏ ପୃଥିବୀ ମନେହୁଏ ସୁନ୍ଦର, ସୁନ୍ଦର !

 

ନେଳି ନେଳି ଘାସପରେ ପ୍ରତିକ୍ଷିତ ଝଲମଲ ବର୍ଷା

ଗଛରେ ଗଛରେ ତାର ଟିପି ଟିପି ସ୍ୱପ୍ନିଳ ମୂର୍ଚ୍ଛନା

ସତ୍ୱେ ବି ଆସଇ ଧୀରେ ସ୍ମୃତି ଧରି ଅନେକ ବର୍ଷର

ସ୍ପର୍ଶାତୁର ଅନୁଭବ, ସମାହିତ, ଶାନ୍ତ ନୀରବତା ।

 

ତୁମରି ପ୍ରତୀକ୍ଷା-କ୍ଳାନ୍ତ ଅପରାହ୍ନ ଏକ ପରେ ଏକ

ନିତି ଆସି ଯାଏ ଫେରି କେତେ ବର୍ଷା, ଶରତର ହସେ

ମୁଁ ପୁଣି ଅସ୍ଥିର ହୁଏ ବସନ୍ତର ଉନ୍ମାଦ ବିଚିତ୍ର

ଭିତରେ ତୁମରି ସତ୍ତା ସବୁ କିଛି ଅର୍ଥବାନ୍‌ କରେ ।

Image

 

ଏକ ଜ୍ୱଳନ

 

ସେଦିନ ତୁମରି ରୂପ ଜଳିଲା ଜଳିଲା ଆଲୋକର ଭ୍ରାନ୍ତି ଦେଲା

ମୁଁ ଆଶ୍ଚର୍ଯ୍ୟ ହେଲି ଯେ ସବୁ ସେ ସ୍ରୋତର ରେଖାମାନ ମିଶି

ମୋଠାରେ ଖୋଜିଲେ କେନ୍ଦ୍ର ପୂର୍ବପରି; ଯେମିତି ବା କିଛି ହଜିଅଛି

ତାକୁ ଫେରି ପାଇବାକୁ ଆଲୋକର ବ୍ୟାକୁଳତା ସମ୍ମିଳିତ ଏକଇ ଉଦ୍ଦେଶ୍ୟ

 

ମୋତେ ଠିକ୍‌ ଜଣାଗଲା ମୋର ଆଖିଥାଇ ଦେଖିବାର ଶକ୍ତିନାହିଁ

ମୁଁ ଏକ ସମ୍ମୋହନ ପ୍ରକ୍ରିୟାର କର୍ମ ଏବଂ କାରଣ ରହିତ

ସେଥିପାଇଁ ଅଣାୟତ, ସେଥିପାଇଁ କାମନାର ମର୍ମଦାହେ

ଦଗ୍‌ଧିଭୂତ, ସ୍ପର୍ଶପାଇଁ ଅବାରିତ ଅନେକ ଉଦ୍ୟମ ।

 

ତୁମରି ବଳିଷ୍ଠ ଦେହ, ମାଂସପେଶି ଭିତରୁ ଯେମିତି

ନିଗାଡ଼ି ଯେତେକ ଚର୍ବି ଏ ଆଲୋକ ପ୍ରଜ୍ୱଳିତ ହେଲା

ସବୁ ହେଲା ନିଃଶେଷିତ; ତୁମରି ଅଯତ୍ନ କେଶ, ଭସା ଆଖି

ନୀଳମେଘୀ ଶାଢ଼ି, ସବୁ କଲେ ନିଜକୁ ବା ଏ ଅଦ୍‌ଭୁତ ଆଲୋକେ ସାଲିସ୍‌

 

ତୁମେ କଥା କହୁଥିଲ ? ଏ ଜ୍ୱଳନ କେବଳ କି ଗୋଟାଏ ବିକାର

କିଏ ସେ ବୁଝିବ କୁହ ଭ୍ରନ୍ତିର ବିଳାସେ ହଜି କିଏ ସେ ବୁଝିବ

ମଣିଷ କାହିଁକି ହଜେ ଏବଂ ଏଠୁ ମୁକ୍ତି ଅବା ସଂଭବ କିପରି ?

 

ଆଜି ଏଇ ଅନ୍ଧକାର ପୁନର୍ବାର ସାକ୍ଷ୍ୟ ଦିଏ ବିଗତ ଦିନର

ମୁଁ ଯେମିତି, ମନେହୁଏ, ଆବିଷ୍କାର କରୁଛି ସାକ୍ଷାତ ,

ତୁମରି ଜ୍ୱଳନ୍ତ ସ୍ଥିତି, ସ୍ୱରୂପ ତା ନିର୍ବିକାର ଗୋଟିଏ ମୁହୂର୍ତ୍ତେ

ତୁମେ ଖାଲି ଜଳିପାର ଆପଣାର ଘୂର୍ଣ୍ଣନ ଓ ଅନ୍ଧକାର ଭିତରେ ଭିତରେ ।

Image

 

ବର୍ଷାର ଦୁଇଟି ସ୍ୱର

(ଏକ)

 

ବାହାରେ ଉନ୍ମାଦ ବର୍ଷା ଅବିଶ୍ରାନ୍ତ ଝରି ଯେବେ ଯାଏ

ଦ୍ୱାରେ ମୋର ରୁଦ୍ଧ ହୁଏ ଏଇ କାର ଆହତ ନିଃଶ୍ୱାସ

ଭ୍ରାନ୍ତି ଓ ସଂଦେହ ଯେତେ, ସ୍ୱପ୍ନକାର ଅତୃପ୍ତ ପ୍ରାଣର

ଚେତନା ଥରାଇ ଯାଏ ଅନ୍ଧାରର ଅସ୍ତିତ୍ୱ ଆଡ଼େଇ ।

 

ମୁଁ ଯଦି କହିବି ସେଇ କ୍ରମ ମ୍ଳାନ ଆଲୋକ ଭିତରେ

ସେ ଯେଉଁ ବିଷଣ୍ଣ ମୁହଁ, ଅନାବୃତ ବାହୁର ବଳୟ

ଦେଖା ଦେଇ ହଜିଯାଏ

ସେ ଦେହ ଯା ସ୍ୱର କାହିଁ ମିଶିଯାଏ

ଏ ବର୍ଷା ଏ ବତାସର ଶଙ୍କିତ ବିସ୍ତାରେ

ମୁଁ କଣ ପାରିବି ହୋଇ

ବିକ୍ଷୁବ୍‌ଧ ଏ ଅଶାନ୍ତ ରାତିରେ

ନିର୍ବିକାର, ପରିଚୟ-ହୀନ !

 

(ଦୁଇ)

 

ବର୍ଷାରେ ଆଶ୍ଚର୍ଯ୍ୟ ସ୍ୱର ଥରିଉଠେ ପୃଥିବୀର ଛାତି

ପୁଣି କ୍ରମ ନୀରବତା ସଂଗୀତରେ ହୁଏ ଏକାକାର

ଅବାରିତ ଆନନ୍ଦର ପରିଣତି ଏଇ ନୀରବତା

ହଠାତ୍‌ ବା କହିଯାଏ ମୁଁ ଏକାକୀ ନିହାତି ନିଃସଂଗ ।

 

ଚତନାର ଚମକରେ ଆଖିଭରା କଥାର ସିନ୍ଦୁକ

ଖୋଲିଯାଏ, ଅନ୍ଧାରର ପରିସୀମା ଛୁଇଁ

ଆଲୋକର ସ୍ରୋତ ଛୁଟେ ଦୃଷ୍ଟିର ଅରଣ୍ୟେ

କେତେ ଦୂରେ କାହିଁକି ବା ହାୟ ହାୟ ମୁଁ ଜାଣି ପାରେନି ।

 

ଝରକାର ରେଲିଂରେ ବର୍ଷା ଯାଏ ଘସିହୋଇ

ପ୍ରଲୁବ୍‌ଧ କା’ ଦେହର ସ୍ପର୍ଶରେ

ବର୍ଷାଯାଏ ମିଶି ମିଶି କା’ ଆଖିର ଅବିରାମ ଲୋତକ ପ୍ରବାହେ

ଯାଏ ସିଏ ସୀମା ଡେଇଁ ସହରର ଏ ରାତି ଓ ଅନେକ ରାତିର

କ୍ଳାନ୍ତି ଓ ପ୍ରତୀକ୍ଷା ନେଇ, ନେଇ ବହୁ ଅବସନ୍ନ ନିରୁଦ୍‌ବେଗ ମନ ।

Image

 

ଚିଠି

 

ପକେଟରେ ତୁମ ଚିଠି ପଢ଼ିବାର ପିପାସା ସରେନି

ଅନେକ ଅନେକ ଦିନେ ଏଠି ପୁଣି ପାଲଟିଛି ସ୍ମୃତି

ସେ ଯାହା ବିସ୍ମୃତ ଥିଲା, ଯାହା ଥିଲା କେବଳଇ ଭ୍ରାନ୍ତି

ଆଜି ଯେ ତାହାରି ପାଇଁ ଆଖିତଳେ ଲୋତକର ବନ୍ୟା ।

 

ଶରତ୍‌ର ସାଦା ରାତି, ଆକାଶରେ ଦ୍ୱାଦଶୀର ଜହ୍ନ

ପବନରେ ଉନ୍‌ମାଦନା ଏତେ ପୁଣି କାହିଁକି କାହିଁକି

ତୁମରି ଅସ୍ପଷ୍ଟ କଥା ସବୁ ଆସି ହଠାତ୍‌ ଧ୍ୱନିତ

ଅତୀତ ଆସିଛି ଧରି ଆଜି ଅବା ନୂତନ ଜୀବନ ।

 

ତୁମର ସର୍ବାଙ୍ଗ ଥରେ ଉଚ୍ଛ୍ୱସିତ ତରଳ ତାରୁଣ୍ୟେ

ଏ ରାତି ଗଭୀରତର ସ୍ପର୍ଶାତୁର ସ୍ୱପ୍ନରେ ହଜାଏ

ଦିନର ଯେତେକ କ୍ଳାନ୍ତି, ହା-ହୁତାସ ବ୍ୟର୍ଥ ପ୍ରତ୍ୟୟର

ଏ ରାତି କରାଏ ମଗ୍ନ ଅନପେକ୍ଷ ସ୍ଥିତିର ଉର୍ଦ୍ଧ୍ୱରେ ।

 

ମୋ ନିଶ୍ଚଳ ସ୍ଥିରତାରେ ତୁମର ସେ ବିକ୍ଷୁବ୍‌ଧ ପ୍ରାଣର

ଉଦ୍‌ବେଳନ ବୁଝିହୁଏ, ଗ୍ଳାନି ଯେତେ ଅଜସ୍ର ବ୍ୟଥାର ।

Image

 

ସକାଳର ଛନ୍ଦ

 

ଶୀତଦିନର ଫୁଲ ନୀରବରେ ସୂର୍ଯ୍ୟ-ମୁଖୀ ହେଲାପରି

ମୁଁ ବାହାରକୁ ମୁଗ୍‌ଧ ହୋଇ ଚାହିଁ ରହେ

ମେଘ ବଳୟିତ ଆକାଶର ତଳେ ତଳେ

ଏତେ ଗୁଡ଼ାଏ ସ୍ୱର୍ଣ୍ଣାଭ ରଙ୍ଗ କିଏ ଦେଲା !

ଏ ସକାଳର ସ୍ତବ୍‌ଧତାକୁ ମୁଖରିତ କରି

କହାର ସେ କଣ୍ଠସ୍ୱର !

ଉତ୍‌ଫୁଲ୍ଲିତ ହସଝରୀ ଏଇ ଶିଶୁମାନେ

ବହୁ ବର୍ଣ୍ଣରେ ଚିତ୍ରିତ ପୋଷାକରେ ଆଗେଇ ଆସନ୍ତି

ଆଗାମୀର ବାର୍ତ୍ତାବହ; ଅନାଗତର ସ୍ୱପ୍ନ ।

ପ୍ରିୟ ମୋର ହେ ଶିଶୁମାନେ ! ତୁମେ ଦେଖିନିଅ, ତୁମେ ଦେଖିନିଅ

ତୁମରି ପ୍ରାଣ ସ୍ପନ୍ଦନରେ ଉଦ୍ଦାମ ଏଇ ପବନ

ମୋ ଘରର ପୁରାତନତାକୁ କିପରି ଧୋଇନିଏ ।

ଏଠି ସମସ୍ତେ ଆଜି ଧ୍ୱନିମୟ

ଏଇ ଗଛ ଲତାରେ, ଏଇ ପରିବେଶର ନୀରବତାରେ

ଅନୁଭୂତିର ଉଷ୍ମତା ଆଜି ଏକ ନବ ଜୀବନ ସଞ୍ଚାର କରେ ।

Image

 

ବିଦାୟ ଗାନ

 

ମୃତ୍ୟୁର ନୀଳ ସୁଏ ଭାସି ଭାସି

ଆମେ ଯଦି ପୁଣି ଏଠି ଆସିଯିବା ଫେରି

ସୁନ୍ଦର ଏଇ ଶାଦ୍‌ବଳ ଧରା

ସେଦିନ କି କଣ ଆମ ସ୍ମୃତି ଥିବ ଧରି ?

ଆମ ଲାଗି କଣ ସେ ଦିନ ଆକାଶେ

ଇନ୍ଦ୍ରଧନୁର ବର୍ଣ୍ଣ ଉଠିବ ଝଳି

ଗଛେ ଗଛେ କଣ ସ୍ୱପ୍ନ ସାଇତି

ବିକଶିବ ନବ କଳି ?

 

ନୀଳ ସାଗରର ବିଚି-ବିଲ୍ଲୋଳ-କଳ-ସଙ୍ଗୀତ ସୁରେ

ଆମେ କଣ ଆଉ ପାଇବା କି ଫେରି ଏ ଜୀବନକୁ ଥରେ ?

ମୁଁ ଜାଣି ପାରୁନି; ଆଜି ଏଠି ତେଣୁ ଦେଖିନିଅ ଆଖି ଖୋଲି

ପୃଥିବୀର ଯେତେ ସ୍ନେହ ସଞ୍ଚିତ ସମ୍ଭାର ଅଛି ଭରି ।

ଆମପାଇଁ ସବୁ ସୁନ୍ଦର ସିନା ହୋଇଛି ଅର୍ଥବାନ

ଆମେ ଦେଇଅଛେ ସ୍ୱପ୍ନ-ସାଉଁଳା ସ୍ପନ୍ଦିତ-ପ୍ରାଣ-ଗାନ ।

 

ଆମ ବିଦାୟର ଲଗ୍ନେ ଅଧୀର ଆକୁଳ–ପୃଥୀ ପରେ

ମୃତ୍ୟୁ-ଶୀତଳ-ସ୍ପର୍ଶେ ଏ ଦେହ ଶିହରିବା ଆଗୁଁ ଥରେ;

ଚାଲ ମନାସିବା ଏ ପୃଥିବୀ ହେଉ ପୁଣି ସୁନ୍ଦରତର,

ଏ ପୃଥିବୀ ହେଉ ନିତ୍ୟ ନୂତନ ଜୀବନର ଉପଚାର ।

Image

 

ଦୁଇଟି ଆଶ୍ଚର୍ଯ୍ୟ ଇଚ୍ଛା

(ଏକ)

 

‘ସବୁ ତୁମ ଗଉରବ, ତୁମେ ତାର କାର୍ଯ୍ୟ ଓ କାରଣ,

କେବଳ ନିମିତ୍ତ ମାତ୍ର ଇଚ୍ଛାକୁ ମୁଁ କରାଉଛି ପୂର୍ଣ୍ଣ;

 

ତୁମର ଏ ଅଭିବ୍ୟକ୍ତି ଭଲସିନା କଥାର ତର୍ଜମା ବେଳେ

କରିବାକୁ ଏ ନିର୍ମମ ଆମର ଦୂରତ୍ୱ,

ଅସ୍ୱୀକାର କରିବାକୁ ସ୍ଥୂଳ ଏକ ଆଶ୍ୱସନା ଇଏ;

ଜାଣନି ଏଥିରେ ଅଛି ସ୍ୱାର୍ଥପର ପ୍ରାଣର ସ୍ୱୀକୃତି ?

 

ତୁମେ ବରଂ ସ୍ୱପ୍ନ ହୁଅ, ସ୍ୱପ୍ନ ଖାଲି ଚେନାଏ ମୋ ବିସ୍ତୃତ ମନର

ରକ୍ତର ସ୍ପନ୍ଦନ ହୋଇ ବଞ୍ଚିରୁହ ଏ ଦେହର ପ୍ରତିଟି ଅଣୁରେ;

ସ୍ୱତନ୍ତ୍ର ସ୍ଥିତିରେ ନାହିଁ ପ୍ରୟୋଜନ, ସମୟର ଚୋରାବାଲି ପରେ

ହେବାକୁ ନିଶ୍ଚିହ୍ନ ଦିନେ ଅସହାୟ ରେଖାଚିତ୍ର ପରି ।

 

ଆମର ଜୀବନ ହେଉ ଆଉ ଏକ ବୃହତ୍ତର ଜନ୍ମର ମାଧ୍ୟମ

ସେ ହେଉ ସାଧନା ଏକ ଅନାଗତ, ପ୍ରତୀକ୍ଷିତ ସିଦ୍ଧିରେ ଭାସ୍ୱର

 

(ଦୁଇ)

 

ଚେତନାର ଦ୍ୱାରେ ମୋର ବେଳେ ବେଳେ ଯାର ପଦଧ୍ୱନି

ଯାର ମୃଦୁ କରାଘାତ ଶୁଣାଯାଏ, ଯା’ ଅସ୍ପଷ୍ଟ କଥାର ଗୁଞ୍ଜନ

ଭାସି ବୁଲେ ଅବା ଆସି, କିଏ ସେ, କିଏ ସେ ???

 

ସେ କି ଏକ ପ୍ରତଧ୍ୱନି ଆସିଅଛି ପାରିହୋଇ ଏଥି

ପରିବ୍ୟାପ୍ତ ସମୟର ସମୁଦ୍ରରୁ କହିବାକୁ ମୁଂଜରିତ ମୁହୂର୍ତ୍ତର କଥା

ଅଥବା ଆସିଛି ମୋତେ କରିବାକୁ ଗନ୍ଧେ ଆମୋଦିତ

କଉଁ ଦୂର ଅରଣ୍ୟର ସ୍ୱପ୍ନନେଇ, ସ୍ୱପ୍ନାହତ ବେଦନାକୁ ନେଇ !

 

ମୁଁ ହେଲେ ପାରନ୍ତି ହାୟ, ମୁଁ ହେଲେ ପାରନ୍ତି

ଏଇ ମୋର କବିତାର ପଂକ୍ତିରେ ପଂକ୍ତିରେ

ତାକୁ ଏଠି କରି ବନ୍ଦୀ, ଅର୍ଥବାନ ଅନୁଭୂତି ଏକ !

Image

 

ସେ ଏବଂ ସକାଳ

 

ଆକଣ୍ଠ ଆହାର ପରେ ଅଜଗର ପରି ସେଇ ଅଳସ ଅନ୍ଧାର

ତାଙ୍କଠୁ ବିଚ୍ଛିନ୍ନ କଲା କିଛି କ୍ଷଣ ଯେମିତି ଏ ପରିଚିତ ପୃଥିବୀ ଆମର ।

ନେଳି ନେଳି ଝିଲିମିଲି ପର୍ଦାର ସେ ପାଖେ,

ଉଦାସ ବିଷନ୍ନ ମୁହେଁ ମର୍ମାନ୍ତିକ ରାତ୍ରି ର ଯନ୍ତ୍ରଣା

ଆଶ୍ଚର୍ଯ୍ୟ ରଙ୍ଗୀନ ଖରା ସ୍ପର୍ଶେ ହେଲା ଅଧିକ ଅସ୍ଥିର

ତାଙ୍କରି ଆଖିରେ ହେଲା ଜ୍ୱଳାନ୍ୱୀତ ଆଖି ଏ ବ୍ୟଗ୍ରତା

ସେଇ ମହା ନିଷ୍କୃତିର, ସେ ମୁକ୍ତିର ଆଲୋକ ଶୁଭ୍ରତା !

 

ଆଗରେ ବିସ୍ତୃତ ଭୂମି ଘାସଫୁଲ ଅନେକ ଉଦ୍‌ବିଗ୍ନ

ସଦ୍ୟସ୍ନାତ ସକାଳର ଶାନ୍ତ ଏକ ପ୍ରବୁଦ୍ଧ ଚେତନା

ଯେତେ ଜୀର୍ଣ୍ଣ, ପୁରାତନ ଯେତେ ଗ୍ଳାନି ସବୁକୁ ନିଃଶେଷି

ସୂତ୍ରପାତ କଲା ଏକ ପୁନର୍ଜନ୍ମ, ନିଷ୍ପେସିତ, ନିଷ୍ପ୍ରଭ ପ୍ରାଣର;

କାମନାର ହିଂସ୍ର ସର୍ପ ନିର୍ମୋକ-ବିହୀନ ହେଲା ।

Image

 

ଏକ ଅନୁନୟ

 

ଏ ଅସ୍ଥିର ଅବିନ୍ୟସ୍ତ ଅନ୍ଧକାର

ତୁମରି କେଶର ଅରଣ୍ୟରେ ଆତ୍ମଗୋପନ କରିବା ଆଗରୁ

ତୁମେ ଥରେ ସ୍ତବ୍‌ଧ ହୁଅ, ତୁମେ ହୁଅ ସ୍ଥିର, ଅଚଞ୍ଚଳ

ତୁମର ସମଗ୍ର ସତ୍ତା ଏଠି ହେଉ ଆକାଶର ବ୍ୟାପ୍ତି

ତୁମେ ଥରେ ଛାଇ ଯାଅ ନୀଳ ନୀଳ ସମୃଦ୍ଧ ପ୍ରଶାନ୍ତି

ମୋ ବିକ୍ଷୁବ୍‌ଧ ବିବିକ୍ତ ସ୍ଥିତିରେ ।

 

ଯୁଗାବ୍‌ଧି ସଂଦେହ ଯେତେ, ଶଙ୍କା ଏବଂ ଆତ୍ମା- ନିର୍ଜନତା

ସବୁ ଯେଣୁ ଭୟଙ୍କର, ପାଇବାକୁ ସେଥିରୁ ନିଷ୍କୃତି

ମୁଁ ଗଢ଼ିଛି ମନ୍ଦିର ଓ ମସଜିଦ, ଗୀର୍ଜାର ତୋରଣ

ନଭଶ୍ଚୁମ୍ୱୀ ପ୍ରାସାଦ ବି ସେଥିପାଇଁ ମୋ ପ୍ରାଣର କୁଶଳୀ ଶିଳ୍ପୀର ।

 

ଯୁଗେ ଯୁଗେ ବିସ୍ମିତ ମୁଁ ସ୍ତମ୍ଭିଭୂତ ସୃଷ୍ଟିର ବୈଚିତ୍ର୍ୟେ

ମୁଁ କରିଛି ନାଟ୍ୟଶାଳା, ନର୍ତ୍ତକୀର ମୁଦ୍ରାର ସର୍ଜନା

ଯେତେ ସୂକ୍ଷ୍ମ ଶିଳ୍ପ କଳା, କାରୁକାର୍ଯ୍ୟ, ସଂଗୀତ, ଭାସ୍କର୍ଯ୍ୟ

ବେଦ ଉପନିଷଦରୁ କୋରାନ ଓ ବାଇବେଲ ଯାଏ

ସବୁ ମୋର ସୃଷ୍ଟି ଖାଲି ଭୁଲିବାକୁ ତା ଭିତରେ ଅସହାୟ ଆତ୍ମ-ନିର୍ଜନତା ।

 

ମିଶରର ନୀଳନଦୀ ତୀର ଭୂମି, ଆର୍ଯ୍ୟାବର୍ତ୍ତ ସିନ୍ଧୁ ଉପତ୍ୟକା

ମୋ ସ୍ୱପ୍ନ ଚାରଣ ଭୂମି ମୋ ଅଶାନ୍ତ ଆତ୍ମାର ଆଶ୍ରୟ

ଚିରନ୍ତନ ଏକାକୀ ମୁଁ; ଉପେକ୍ଷିତ ଅଭିଶାପ ଗ୍ରସ୍ତ

ମୋତେ କର ମୁକ୍ତ ତୁମେ ଉଚ୍ଛ୍ୱସିତ କେତୋଟି ମୁହୂର୍ତ୍ତ !

Image

 

ଏକ ଅନ୍ତର୍ଦୃଷ୍ଟି

 

ଏତେ ଦିନପରେ ଆଜି ସେ ହାତର କେତୋଟି ଅକ୍ଷର

ପୁରୁଣା ବହିର ପୃଷ୍ଠା ଖୋଲି ଯେବେ ଆବିଷ୍କାର କରେ

ସମୟର ରାହାଧରି ହାୟ ମୁଁ ତ ପାରୁନାହିଁ ଜାଣି

ଆମର ଦୂରତ୍ୱ କେତେ; କାହାପାଇଁ ଆମର ପ୍ରତୀକ୍ଷା !

କିଏସେ ଆସିବ ଆଉ ଆକାଶର ନୀଳ-ମୁଲକରୁ

କିଏସେ ଆସିବ ଆଉ ଶରତର କାଶତଣ୍ଡି ହସେ

ଆଉ କାର ଅପେକ୍ଷାରେ ଗଛେ ଗଛେ ମାତିବ ସପନ

ଫୁଲର ପରାଗ ବୋଳି ପୃଥିବୀର ରଙ୍ଗ ବଦଳିବ !

ସେ କ’ଣ ପୃଥକ୍‌ ହେବ ଏ ଚିନ୍ତାରୁ ଯାହାଠୁ ରଙ୍ଗର

ଉତ୍‌ପତ୍ତି ସଂଭବ ହୁଏ, ଯାହା ପୁଣି ସୃଷ୍ଟିର ବିସ୍ମୟେ

ସବୁରେ ଆରୋପେ ଅର୍ଥ ? ଆମ ପାଇଁ ଉନ୍‌ମୋଚନ କରେ

ରହସ୍ୟର ପୃଷ୍ଠାମାନ ଏକ ଅନୁରଣିତ ମୁହୂର୍ତ୍ତେ ?

ସେ କି ଅସ୍ୱୀକୃତ ହେବ, ଏଠି ଯଦି ତୁମର ଅସ୍ତିତ୍ୱ

ସଂପର୍କର ସେତୁବଂଧ ଭଗ୍ନକରି ଅନୁଭୂତ ହୁଏ ?

ଏ ରାତ୍ରିର ମର୍ମାନ୍ତିକ ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ବିକୃତ ବାସନା

ଏ ରାତ୍ରିରେ ଭୟ ଯେତେ, ଭୀରୁତାର କରୁଣ ସମାଧି ।

ଆଲୋକର ପ୍ରଶସ୍ତିରେ ମୁଁ ତେଣୁ ସେ ପ୍ରାଣର ସ୍ପନ୍ଦନ

ପ୍ରତ୍ୟେକ ଧ୍ୱନିରେ ପାଏ; ଗନ୍ଧେ, ସ୍ପର୍ଶେ ଅନୁଭବ କରେ

ତୁମର ସମଗ୍ର ସତ୍ତା, ଆତ୍ମୀୟତା ଅଶ୍ରୁ ଓ ଉଦ୍‌ବେଗ ।

କାହିଁକି ଶୋଚନା ତେବେ ? ଏଇ ଦେଖ ଆମର ବିସ୍ତୃତି !

Image

 

ଶୀତ

 

ଶୀତର ନରମ ସ୍ପର୍ଶ ଖୋଲା ଝରକାରେ

ଶିହରିତ ପ୍ରାନ୍ତରର ଦିଗ ଦିଗ ଶ୍ୟାମ ସୁଷମାରେ

ଏକ ନବ ଉନ୍ମାଦନା ଖେଳି ବୁଲେ ଆଜିର ସକାଳେ

ଏଇ ମୌନ ଶରତର ପୃଥିବୀରୁ ବିଦାୟ ବେଳାରେ ।

 

ଶୀତର ଚମକ ଏଇ ଦେହେ ମନେ ଅଦ୍‌ଭୁତ ଖିଆଲେ;

ସମୟର କାଚେ ଏଇ ଛଳ ଛଳ କା’ ଉଦାସ ମୁହଁ

କା’ର ଶେତା ଆଖିତଳେ ମୃତ ସ୍ୱପ୍ନ ଅନାଦି କାଳର

କାହା ଦୀର୍ଘଶ୍ୱାସ ପୁଣି, କା’ ଅଶାନ୍ତ ଆତ୍ମା ଘୂରି ବୁଲେ !

 

ବୟସର ରଙ୍ଗ ଯେତେ, କ୍ଷୟକ୍ଷତି ହିସାବ ନିକାଶ

ସବୁ ଯଦି ପୋଛି ଦେଇ ଏ ଶୀତର ସ୍ପର୍ଶ ଦେଇଯାଏ

ଆଉ କିଛି ଅନୁଭବ, ମୋ ବିଭକ୍ତ-ସତ୍ତାର ଉପରେ ,

ମୁଁ ତାକୁ ସ୍ୱାଗତ କରେ; ଯିଏ ଏକ ଆତ୍ମପ୍ରତ୍ୟୟରେ

ମୋତେ କରେ ଆବିଷ୍କାର ମୋ ସ୍ୱପ୍ନର ପ୍ରତିଟି ସୃଷ୍ଟିରେ ।

Image

 

ଲୁଲୁ ପାଇଁ ଏକ ଲଲାବାଇ

 

ମୋ କୁନି ପଡ଼ରେ ଶୋଇ ମାଡ଼ି ଆସେ ଘନ ଘୋର ରାତି

ମାତିଛି ପ୍ରଳୟ ଝଡ଼ ଚାରିଆଡ଼େ ଶଙ୍କିତ ବିସ୍ତାର

ପବନରେ ସଂଦେହ ଓ ସର୍ବଗ୍ରାସୀ ମରଣର ଭୟ

ମୋ କୁନି ପଡ଼ରେ ଶୋଇ ବାଜିଲାଣି ଘଣ୍ଟାରେ ଏଗାର ।

ଏଠାରେ ଏବେରେ ସବୁ ପରିମିତ, ମାପ ଚୁପ, ସବୁରେ ସୀମିତ

ସରଳ ନିଷ୍ପାପତୁରେ କିମିତି ବୁଝିବୁ କହ କିମିତି ଜାଣିବୁ

ଆମେ ସବୁ କଳୁଷିତ, ଆମେ ସବୁ ଭଗ୍ନ ମନ୍ଦିରରେ

କେବଳ ହିଁ ନିର୍ଯାତିତ, ଅସହାୟ ନିର୍ବାସିତ ପ୍ରାଣ !

ଗ୍ରହ, ଅନ୍ତରୀକ୍ଷ ଯାତ୍ରା ସତ୍ୱେ ଏଠି ନିମ୍ନଗାମୀ ମନ

ଆମକୁ ନ ପାରେ ଛାଡ଼ି, ଅବିଶ୍ୱାସ, ସଂଘର୍ଷରେ ଆମେ

ସମସ୍ତେ ଜର୍ଜର ଖାଲି, ବିଖଣ୍ଡିତ ସମୟରେ ବହୁଧା ବିଭକ୍ତ

ମୃତ ଐତିହ୍ୟରେ ଆମ ଲକ୍ଷ୍ୟ ଭ୍ରଷ୍ଟ ଆଗତ ଦିନର ।

ତେଣୁ ସବୁ ନିଶ୍ଚେଷ୍ଟତା, ଦ୍ୱିଧା ଆଉ ଦ୍ୱନ୍ଦ୍ୱ ଓ ସଂକଟ

ଭିତରେ ଆମର ସ୍ଥିତି; ଶୋଇପଡ଼, ଅବୁଝା ହୁଅନା ,

ତୋ ପୃଥିବୀ ଭିନ୍ନ ହେଉ ଆମଠାରୁ; ଶାନ୍ତ ସମାହିତ

ତୋ ପାଇଁ ଜୀବନ ହେଉ ହା-ହୁତାଶ ବ୍ୟର୍ଥତା ବିହୀନ ।

ଅମୃତର ଶିଶୁ ତୁରେ ଅମୃତରେ କରି ଅନ୍ୱେଷଣ

ତୋ ଜୀବନ ଭରିଉଠୁ ସ୍ନେହ, ପ୍ରେମ, ପ୍ରତ୍ୟୟ, ପ୍ରୀତିରେ

ପଶୁତ୍ୱର ମୃତ୍ୟୁ ହେଉ; ତୋ ସକଳ ସୃଷ୍ଟିର ସୌନ୍ଦର୍ଯ୍ୟ

ନିଶ୍ଚିତ ଆଶ୍ରୟ ଦେଉ, ବଞ୍ଚିବାର ତୀବ୍ର ଉନ୍ମାଦନା ।

ତୋ ପାଇଁ ସମୟ ହେଉ ପରିବ୍ୟାପ୍ତ କାଳ, ମହାକାଳ

କ୍ରମ ବର୍ଦ୍ଧମାନ ହେଉ ଜୀବନର ପ୍ରତିଟି ଅଧ୍ୟାୟ

ସୁଦୂରପ୍ରସାରୀ ଦୃଷ୍ଟି, ପରିପୂର୍ଣ୍ଣ ସଂଭାବନା ଯେତେ

ତୋତେରେ ବିଚ୍ଛିନ୍ନ କରୁ ଘୃଣ୍ୟ, ଆତ୍ମକୈନ୍ଦ୍ରିକ ଚିନ୍ତାରୁ ।

ଆଗାମୀର ବାର୍ତ୍ତାବହ ମୋ କୁନିର ଆଖିରେ ଆଖିରେ

କେତେ ଯେ ସପନ ବୋଳି ନିଦ ଏଇ ଘାରି ଆସିଲାଣି

ମୋ କୁନି ପଡ଼ରେ ଶୋଇ ଚାରିଆଡ଼େ ଶୁନ୍‌ଶାନ୍‌ ରାତି

ଅସହାୟ ଅନ୍ଧକାର, ଅସ୍ଥିରତା; ସକାଳତ ଆସିବାକୁ ଡେରି ।

Image